ପ୍ରଶ୍ନ ଓ ଉପଲବ୍ଧି

ମୁଁ ଦିନେ ଜଗନ୍ନାଥଙ୍କ ନିକଟରେ ଉପଲବ୍ଧି କଲି, ଯେ ଭଗବାନ ମତେ କିଛି ଦୃଶ୍ୟ ଓ ଅଦୃଶ୍ୟ ଜିନିଷ ଦେଇଛନ୍ତି । ଦୃଶ୍ୟ ଜିନିଷକୁ ଅଦୃଶ୍ୟ ଜିନିଷ ଗୁଡ଼ିକ ପରିଚାଳିତ କରୁଛନ୍ତି । ମୋର ଦୃଶ୍ୟମାନ ଦେହ ଭିତରେ ମନ, ଆତ୍ମା, ବିବେକ, ବୁଦ୍ଧି ପ୍ରଭୃତି ଅଛନ୍ତି । ମୁଁ ଅନୁଭବ କଲି ମୋର ତିନି ପ୍ରକାରର ଅସୁସ୍ଥତା ଅଛି । ତାହା ହେଉଛି ଶାରୀରିକ, ମାନସିକ, ଆଧ୍ୟାତ୍ମିକ । ବିଭିନ୍ନ ବିଷଦ୍ୱାରା ମୋର ଶାରୀରିକ ରୋଗ ହେଉଅଛି । ମୋର ଭିତରେ ଭୟ, ଦୁଶ୍ଚିନ୍ତା, କ୍ରୋଧ ପ୍ରଭୃତି ଖଞ୍ଜା ଯାଇଥିବାରୁ ମୋର ମାନିସକ ସନ୍ତୁଳନତା ବିଗିଡ଼ି ଯାଉଛି ଓ ମୁଁ ଅସୁସ୍ଥ ହୋଇ ପଡ଼ୁଛି । ଆଧ୍ୟାତ୍ମିକ ଅସୁସ୍ଥତା ମୋର ଅଜ୍ଞାନତାରୁ ସୃଷ୍ଟି ହୋଇଛି । ମୋର ଅଜ୍ଞତା ହିଁ ମୋର ସବୁଠାରୁ ବଡ଼ ରୋଗ ହୋଇଯାଇଛି ।
ରାଥାରୁଢ଼ ଜଗନ୍ନାଥ ସତେଯେପରି ମୋତେ କହିଲେ ଦେଖ! ଯେଉଁମାନେ ଏଠାକୁ ଆସୁଛନ୍ତି ଦିନେ ସେମାନେ ସେଲଫି ଉଠାଇ,  ବଡ଼ଦାଣ୍ଡର ଚାକଚକ୍ୟରେ ବୁଡ଼ିଯିବା ପାଇଁ, ସମୁଦ୍ରରେ ସ୍ନାନ ପାଇଁ, ବ୍ୟବସାୟ ଓ ବ୍ୟବସାୟିକ ପଦାର୍ଥରେ ମାତିଯିବା ପାଇଁ ଆସିନଥିଲେ । ସେମାନେ ଆସିଥିଲେ ପଚାରିବା ପାଇଁ ଯେ ସେମାନେ କିଏ? କେଉଁଠାରୁ ଆସିଛନ୍ତି? କେଉଁଠାକୁ ଯିବେ? ଓ କେଉଁଠାରେ ଅଛନ୍ତି? ଏହି ପ୍ରଶ୍ନର ଉତ୍ତର ସରଳ ହୋଇଥିଲେ ମଧ୍ୟ ତାହାକୁ ଭୁଲିଯାଇ ସଂସାରର ଜଟିଳତାରେ ସେମାନେ ପ୍ରବେଶ କଲେ । ମତେ ପ୍ରଭୁ କହିଲେ, ତୋର ଶରୀର କ୍ଷଣଭଙ୍ଗୁର । ଏହାର ଜନ୍ମ, ଅଭିବୃଦ୍ଧି ଓ ପରିପକ୍ୱତା ହେବାପରେ ସେ କ୍ଷୟ ଓ ମୃତୁ୍ୟକୁ ଲାଭ କରିଥାଏ । ଆଶ୍ଚର୍ଯ୍ୟ ଚକିତ ହୋଇ ମୁଁ ଜଗନ୍ନାଥଙ୍କୁ କହିଲି ମୋର ଭିତରେ ଦେଇଥିବା ମନଟି ମଧ୍ୟ ଏହି ପ୍ରକ୍ରିୟାରୁ ବାଦ ପଡ଼ିପାରୁନାହିଁ । ମୋର ଜନ୍ମ ସହିତ ମନର ଜନ୍ମ ହେଉଛି । ଶରୀରର ଅଭିବୃଦ୍ଧି ସହ ମନର ମଧ୍ୟ ଅଭିବୃଦ୍ଧି ହେଉଛି । ମୁଁ ପରିପକ୍ୱତା ଲାଭ କରିବା ସମୟରେ ଦେଖୁଛି ଏହା ମନର ପରିପକ୍ୱତା ହେତୁ ଘଟିଅଛି । ଶରୀରର କ୍ଷୟ ସହିତ ମନର ମଧ୍ୟ କ୍ଷୟ ଘଟୁଛି ଓ ମୁଁ ମୃତୁ୍ୟ ଲାଭ କଲେ ମନର ମଧ୍ୟ ମୃତୁ୍ୟ ହେଉଛି ।
ପ୍ରଭୁ ଜଗନ୍ନାଥ ସତେଯେପରି କହିଲେ, ପୃଥିବୀ ନାହିଁ ଅର୍ଥ ଭଗବାନ ନାହାଁନ୍ତି । ଭଗବାନ ଅର୍ଥ ମନୁଷ୍ୟ ଯାହାଙ୍କୁ ଭଗବାନର ଆଖ୍ୟା ଦେଇଛି । ପ୍ରାଣୀ ଜଗତ ନାହିଁ ଅର୍ଥ ଭଗବାନଙ୍କ ସତ୍ତାକୁ ଉପଲବ୍ଧି କରିବାର ବସ୍ତୁ ନାହିଁ । ସେଥିପାଇଁ ମୁଁ ତୋ ଭିତରେ ଓ ମଣିଷ ମାନଙ୍କ ଭିତରେ କେତେକ ଶକ୍ତି ଦେଇଛି । ତାହାହେଉଛି ପ୍ରେରଣା, ବିବେକ ଓ ବୁଦ୍ଧି । ବିବେକ, ବୁଦ୍ଧି ଏଥିପାଇଁ ଦିଆଯାଇଛି କାରଣ ତୁ ସତ୍ ଓ  ଅସତ୍ ବଷୟରେ ପ୍ରାର୍ଥକ୍ୟ ଜାଣିପାରିବୁ । ମଣିଷମାନେ ନିଜର ଅନ୍ତରାତ୍ମାକୁ ପରିପୁଷ୍ଟ ନକରି ମୋ ନିକଟକୁ ଆସିଥଲେ ମଧ୍ୟ ମୌଳିକ ପ୍ରଶ୍ନ ମୁଁ କିଏ? ମୁଁ କେଉଁଠାରୁ ଆସିଛି? ମୁଁ କେଉଁଠାକୁ ଯିବି? ଏହାକୁ ଭୁଲିଯାଇ ସଂସାରକୁ ପରିପୁଷ୍ଟ କରୁଛି । ସେ ଦେଖୁଛି । ଅନୁଭବ କରୁଛି ଯେ ସେ ବାହ୍ୟ ଜଗତର ଯେଉଁ ବସ୍ତୁ ଗୁଡ଼ିକୁ ଦିନେ ଆଗ୍ରହର ସହିତ ଘରକୁ କିଣିଆଣିଥିଲା ତାହା ସବୁ ଅଦରକାରୀ ଓ ଅନାଗ୍ରହ ପଦାର୍ଥରେ ପରିଣତ ହୋଇଯାଇଛି । ଅଦୃଶ୍ୟ ଭାବେ ଅଜାଣତରେ କେତେବେଳେ ଏସବୁ ଜିନିଷ ଘଟି ଯାଇଛି । ବର୍ତ୍ତମାନ ତାକୁ ସେହି ଅନାଗ୍ରହ ବସ୍ତୁଗୁଡ଼ିକୁ ଫୋପାଡ଼ି ଦେଇ ପୁଣି ଜାଗତିକ ଆକର୍ଷଣୀୟ ପଦାର୍ଥ ଗୁଡ଼ିକୁ କିଣି ଆଣିବାକୁ ଚାହିୁଁଛି । ସେ ଭାବୁଛି ସେଥିରେ ଆନନ୍ଦ ରହିଅଛି ।  ପ୍ରଭୁ ଜଗନ୍ନାଥଙ୍କୁ ଏପରି କାହିଁକି ହେଉଛି ପଚାରିବାରୁ ପ୍ରଭୁ କହିଲେ ତୋର ପ୍ରେରଣା ଓ ପ୍ରବୃତ୍ତିର ଅନ୍ତନାହିଁ । ଏକାନ୍ତରେ ଓ ପର୍ବତ ଶିଖରରେ ତୋର ପ୍ରେରଣା ଓ ପ୍ରବୃତ୍ତି ଯୋଗୁ ତୁ ଶାନ୍ତିକୁ ଖୋଜୁଅଛୁ । ବିଭିନ୍ନ ପବିତ୍ର ନଦୀ ଓ ମହୋଦଧିରେ ଡୁବ ଦେଇ ଶାନ୍ତିର ସ୍ଥାନ ଖୋଜିବାକୁ ଚାହୁଁଛୁ । କେତେକଙ୍କର ଯାତ୍ରା ଶୀଘ୍ର ସରିଯାଉଥିଲେ ମଧ୍ୟ କେତେକଙ୍କର ଯାତ୍ରା ବିଳମ୍ବ ହୁଏ । ତୋର ଶରୀର ଏକ ସୁନ୍ଦର ବିଶ୍ରାମ ସ୍ଥଳୀ ଯେଉଁଠାରେ ମୁଁ ଆତ୍ମାରୂପରେ ବିଦ୍ୟମାନ । ତୁ ନିଜ ଠାରେ ମତେ ପାଇବା ଠାରୁ ବଳି ଅଧିକ ଶାନ୍ତିପ୍ରଦ ସ୍ଥାନ ନାହିଁ । ମୁଁ ଆକାର ଓ ନିରାକାର ମଧ୍ୟ । ମୁଁ ତତେ ଆଶୀର୍ବାଦ କରୁଛି ଏହାକୁ ଉପଲବ୍ଧି କର ଓ ଜୀବନରେ ଶାନ୍ତିଲାଭ କର । 
ଅନୀତା ପଟ୍ଟନାୟକ,ମୋ: ୯୬୯୨୯୮୦୦୨୬