ଆରମ୍ଭ ହେଲା ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା : ଗୋଷ୍ଠୀଗତ ବାଘ ନୃତ୍ୟରେ କମ୍ପିଲା ସହର

 ହିଞ୍ଜିିଳିକାଟୁ:  ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ମହାଆଡମ୍ବର ସହ ଭକ୍ତିମୟ ପରିବେଶରେ ଶୁଭାରମ୍ଭ ହୋଇଛି । ଯାତ୍ରାର  ପ୍ରଥମ ଦିବସ ରାଜ ପରିବାର ଓ କେଉଟବାଡର ମିଳିତ ସହଯୋଗ ଏବଂ ପାଟଣା ସାହି ପକ୍ଷରୁ ପାଳନ କରାଯାଇଛି । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ସକାଶେ ସୁଉଚ୍ଚ ତୋରଣ, ରଙ୍ଗ ବେରଙ୍ଗର ବାନାତୋରଣ ସହ ଅଲୋକମାଳାରେ ସାରାସହର ଝଲସି ଉଠିଥିଲା । 
ମାନସିକଧାରୀ ଶ୍ରଦ୍ଧାଳୁମାନେ କୃଷ୍ଣ, ବଳରାମ, ରାମ, ସୀତା, ହନୁମାନ, ବାଘ-ବାଘୁଣି, ଡାହାଣି, ଅସୁରୁଣି, କାଚରା, ଖଟବିଦ୍ୟା, ମେହେନ୍ତର ଆଦି ବିଭିନ୍ନ ରଙ୍ଗ ବେରଙ୍ଗ ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ । ମାନସିକଧାରୀ ବୁଢା ବେହେରା ବାଘ ନାଚ ପ୍ରଥମ ଦିନରେ ଆକର୍ଷଣ ଥିଲା । ଦିନ ତମାମ ପାଗ ଅନୁକୂଳ ରହିଥିବାରୁ  ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ  ଅଞ୍ଚଳରୁ ଶହ ଶହ ଭକ୍ତ ,ଦର୍ଶନାର୍ଥୀ ଓ ଯାତ୍ରାପ୍ରେମୀଙ୍କ ପ୍ରାତଃହରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଭିଡ ଲାଗି ରହିଥିିଲା । ସ୍ଥାନୀୟ ପୌରାଞ୍ଚଳ କେଉଟ ସାହି ଓ ପାଟଣା ସାହି ସ୍ଥିତ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପ୍ରାତହରୁ ରାତ୍ର ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଜମିଥିଲା । ସ୍ଥାନୀୟ ଉପଖଣ୍ଡ ଚିକିସôାଳୟ ପକ୍ଷରୁ ବଡରଙ୍ଗଣି ସାହି କୋଠଘର ନିକଟରେ ଏକ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଥିଲା  ।ପୌର ପରିଷଦ ପକ୍ଷରୁ ସହରର ସ୍ୱଛତା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା  । ସନ୍ଧ୍ୟା ସମୟରେ ଆକର୍ଶଣୀୟ କଳାକୁଞ୍ଜ ଦେଖିବା ସକାଶେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଭକ୍ତ ଓ ଯାତ୍ରା ପ୍ରେମୀଙ୍କ ପ୍ରବଳ ଜନସମାଗମ ଲାଗି ରହିଥିଲା  ।କଳାକୁଞ୍ଜ ମଧ୍ୟରେ ରାମ, ହନୁମାନ, ସୀତା, ପର୍ଶୁରାମ, ଜରା ଶବର,ଦାନ ବୀର ରାଜା ହରିଶ୍ଚନ୍ଦ୍ର, ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ଆଦି ପ୍ରତିମୂର୍ତ୍ତି ସୁସଜ୍ଜିତ ଅସ୍ଥାୟୀ ମଣ୍ଡପରେ ସ୍ଥାପିତ ହେବା ସହ କିଛି କୌତୁକିଆ ଦୃଶ୍ୟ ଓ ଜନସଚେତନତା ଚିତ୍ରପଟ ମଧ୍ୟ ସ୍ଥାନେ ସ୍ଥାନେ ସ୍ଥାପନ କରାଯାଇଛି । ଅସମ୍ଭବ ଭିଡ଼କୁ ନଜରରେ ରଖି ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ  ପୋଲିସ ଫୋର୍ସ ମୃତୟନ କରାଯାଇଥିଲା  । 
ଅସାମାଜିକ ବ୍ୟକ୍ତି ଓ ବିଶୃଙ୍ଖଳାକାରୀ ମାନଙ୍କୁ ସାବାଡ କରିବା ପାଇଁ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ସାଦା ପୋଷାକଧାରୀ ପୁଲିସଙ୍କୁ ସହରର ବିଭିନ୍ନ ସ୍ଥାନରେ ମୃତୟନ କରାଯାଇଥିଲା । ଯାତ୍ରା ଉପଲକ୍ଷେ ଲୋକଙ୍କ ଆଗମନରୁ କିଛି ରୋଜଗାର କରିବା ଆଶା କରି ବିଭିନ୍ନ ସାହି ବସ୍ତିରେ ନାନା ରକମର ଖେଳଣା,ଚୁଡି, ବାରମଜା, ଘରକରଣା ସାମଗ୍ରୀ ଦୋକାନ ଓ ପସରା ଖୋଲା ଯାଇଛି  । ବିଳମ୍ବିତ ରାତିରେ ପ୍ରଭୁ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ବସାଇ ବାଦ୍ୟ ବାଜଣା ଓ ପଟୁଆରରେ ନଗର ପରିକ୍ରମା କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଭୋଗ ଅର୍ପଣ କରି ପ୍ରଭୁଙ୍କୁ କୃପା ଭିକ୍ଷା କରିଥିଲେ । ବିଳମ୍ବିତ ରାତିରେ ଠାକୁରଙ୍କୁ ସହର ପରିକ୍ରମା କରାଯାଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ସାହି ବସ୍ତିରେ ଯୁବ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ରକମର ଶୀତଳ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ସୋମବାର ଦ୍ୱିତୀୟ ଦିବସରେ ରଙ୍ଗୁଣି ବାଡ  ପକ୍ଷରୁ ଯାତ୍ରା ପରିଚାଳନା କରାଯିବା ସହ ରାତ୍ର ସମୟରେ ବାଣ ଯାତ୍ରା ଅନୁଷ୍ଠିତ ହେବ । ଅନୁରୂପ ଭାବେ ସ୍ଥାନୀୟ ବ୍ଲକ୍ ବୁରୁପୋଡା ଗ୍ରାମ ନୃସିଂହ ଠାକୁରଙ୍କ ଜନ୍ମୋତ୍ସବ ପାଳନ କରାଯାଇଛି  ।