ପ୍ରଫୁଲଙ୍କ ଫୋକସରେ ୮ନଂ ଜୋନ୍
ଟମକା : ଗ୍ରୀଷ୍ମର ଅସହ୍ୟ ତାତି ସାଙ୍ଗକୁ ସାଧାରଣ ନିର୍ବାଚନର ମାହୋଲ୍ରେ ସରଗରମ ସାରା ଓଡିଶା । ଏହି କ୍ରମରେ ମଧ୍ୟ ପଛରେ ପଡିନାହିଁ ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀ । ରାଜ୍ୟ ରାଜନୀତିରେ ଦବଦବା ରଖିଥିବା ଘଡାଇ ପରିବାରଙ୍କ କବ୍ଜାରେ ଦୀର୍ଘ ଦଶନ୍ଧି ଧରି ରହିଛି ଏହି ନିର୍ବାଚନ ମଣ୍ଡଳି । ତେବେ ଚଳିତ ଥର ମଧ୍ୟ ଏହାକୁ ଦୃଷ୍ଟିରେ ରଖି ଶାସକ ବିଜେଡି ଦଳ ନିଜ ଗଡ ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଯୁବ ଗୋଷ୍ଠୀଙ୍କ ମଙ୍ଗ ଧରିଥିବା ବେଳେ ରାଜନୀତିର ଚାଣକ୍ୟ ଭାବେ ପରିଚିତ ତାଙ୍କ ପିତା ପ୍ରଫୁଲ ଚନ୍ଦ୍ର ଘଡାଇ ପରିଣତ ବୟସରେ ମଧ୍ୟ ସବୁ ନିର୍ବାଚନ ପରି ଚଳିତ ନିର୍ବାଚନରେ ମଧ୍ୟ ନିଜର ସ୍ୱତନ୍ତ୍ର ରଣନୀତି ଜାରି ରଖିଛନ୍ତି । ତେବେ ନିର୍ବାଚନମଣ୍ଡଳୀର ୮ନଂ ଜୋନ୍ରେ ଶାସକ ଦଳର ଏକ ସ୍ୱତନ୍ତ୍ର ଭୋଟ୍ ବ୍ୟାଙ୍କ୍ ରହି ଆସିଛି । କିଆଝର, ଦେଉଳକଣ, ଓସ୍ତପାଳ, ଗୋବର୍ଦ୍ଧନପୁର, ନଚ୍ଛିପୁରା, ବାଙ୍ଗରକୋଟା, ଉଚ୍ଚବାଲି ଭଳି ୭ଟି ପଞ୍ଚାୟତକୁ ନେଇ ଏହି ଜୋନ୍ ଅବସ୍ଥାପିତ ରହିଥିବା ବେଳେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ଜୋନରୁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ପ୍ରଦୀପ ବଳସାମନ୍ତଙ୍କ ଠାରୁ ୩୨୨୬ ଖଣ୍ଡ ଭୋଟ୍ ଅଧିକ ପାଇଥିଲେ । ଏହାକୁ ଦୃଷ୍ଟିରେ ରଖି ସିନିୟର ଶ୍ରୀ ଘଡାଇ ବିଜେଡିର ଏକ ସ୍ୱତନ୍ତ୍ର ଭୋଟ୍ ବ୍ୟାଙ୍କ୍ ଥିବା ଏହି ଜୋନ୍ ଉପରେ ଫୋକସ ରଖିଥିବା ଦେଖାଦେଇଛି । ଶ୍ରୀ ଘଡାଇ ଏହି ଜୋନ୍ର ଓସ୍ତାପାଳ ପଞ୍ଚାୟତର ଏକ ମହିଳା ସଂକଳ୍ପ ସମାବେଶକୁ ଉଦବୋଧନ ଦେଇ ନବୀନ ସରକାର ସାଧାରଣ ଜନତାଙ୍କ ସରକାର । ମିଶନ ଶକ୍ତି ଜରିଆରେ ନାରୀଶକ୍ତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏହି ସରକାର ଆଜି ମହିଳାଙ୍କୁ ଘର କଣରୁ କାଢି ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ମତବ୍ୟକ୍ତ କରିଥିଲେ । ସେହିପରି ଭାବେ ଶ୍ରୀ ଘଡାଇ ଟମକା ୮ନଂ ଜୋନ୍ କାର୍ଯ୍ୟାଳୟରେ ଅନୁଷ୍ଠିତ କର୍ମୀ ବୈଠକରେ ବିଜୁ ଜନତା ଦଳର ଯୋଡି ଶଙ୍ଖକୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବା ସହ ଏକ ରେକର୍ଡ ବିଜୟ ହାସଲ କରିବାକୁ ଆହ୍ୱାନ ଦେଇଥିଲେ । ଓସ୍ତପାଳ ଠାରେ ଅନୁଷ୍ଠିତ ମହିଳା ସମାବେଶରେ ୮ନଂ ଜୋନ୍ ଜିଲା ପରିଷଦ ସଭ୍ୟ ସ୍ମୃତିରାଣୀ ରାଉତ, ପଞ୍ଚାୟତ ବିଜେଡି ସଭାପତି ଅଜିତ୍ କୁମାର ନନ୍ଦି, ବ୍ଲକ୍ ଯୁବ ବିଜେଡି ସଭାପତି ଚନ୍ଦନ କୁମାର କର, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଟମକା ଜୋନ୍ କାର୍ଯ୍ୟାଳୟରେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୌମ୍ୟରଞ୍ଜନ ମହାପାତ୍ର, ଶ୍ରମିକ ନେତା ଦ୍ୱାରୀକାନାଥ ଦାସ, ନଚ୍ଛିପୁରା ପଞ୍ଚାୟତ ପ୍ରଭାରି ଲକ୍ଷ୍ମୀଧର ବେହେରା, ପଞ୍ଚାୟତ ବିଜେଡି ସଭାପତି ବିପିନ ବିହାରୀ ସେଠୀ, ବିଜେଡି ନେତା ପ୍ରଭାକର ମହାନ୍ତ, ନରୋତମ ବେହେରା, ପିତାମ୍ବର ମହାନ୍ତ, ମଦନ୍ତ ତନ୍ତି, କିଶାନ ମୁଣ୍ଡା, ଜଗନ୍ନାଥ ମହାନ୍ତ, ଅଭିରାମ ପ୍ରଧାନ, ଜର୍ମାନୀ ଦାସ, ଫକିର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।