ବଢୁଛି ନିଶାଦ୍ରବ୍ୟର ଅବାଧ କାରବାର: ପ୍ରଶାସନ ରୋକିବାରେ ବିଫଳ

 ଖଣ୍ଡପଡ଼ା :  ଖଣ୍ଡପଡା ବ୍ଲକ ଅଧିନ ବୋଦସା ପଞ୍ଚାୟତରେ ନିଶାଦ୍ରବ୍ୟର ଅବାଧ କାରବାର ଯୋଗୁଁ ପଞ୍ଚାୟତବାସୀ ଅତିଷ୍ଠ ହୋଇ ପଡିଛନ୍ତି । ପଞ୍ଚାୟତବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ନିଶାଦ୍ରବ୍ୟର ଅବାଧ କାରବାରକୁ ରୋକିବାରେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହେଉଛି । ଉକ୍ତ ୨ବିଭାଗର ତଳିଆ କର୍ମଚାରୀମାନେ ନିଶା ବେପାରୀଙ୍କ ଠାରୁ ମାସକୁ ମାସ ମୋଟା ଅଙ୍କର ବଟି ନେଇ ନିଶାଦ୍ରବ୍ୟର ଅବାଧ କାରବାରକୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ବୋଦସା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ଦେଶୀବିଦେଶୀ ମଦ ସାଙ୍ଗକୁ ଭାଙ୍ଗ, ଗଞ୍ଜେଇ ଓ ଧଳାଜହରର ଅବାଧ କାରବାର ଖୁଲମଖୁଲା ଚାଲିଥିବା ଜଣାପଡ଼ିଛି । ଫଳସ୍ୱରୂପ ସ୍ଥାନୀୟ ଅଞ୍ଚଳର ଅନେକ ଶିକ୍ଷିତ ଯୁବକ ପଥଭ୍ରଷ୍ଟ ହୋଇ ଦିନରାତି ନିଶାରେ ଚୁର ହୋଇ ବୁଲୁଥିବା ବେଳେ ନିଶା ଦ୍ରବ୍ୟ ସେବନ କରୁଥିବା କିଛି ବ୍ୟକ୍ତି ଦୀର୍ଘ ମାସ ଧରି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ପରିବାରବର୍ଗଙ୍କ ପାଇଁ ବୋଝ ପାଲଟିଥିବା ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ଜଣାପଡିଛି । ସ୍ଥାନୀୟ ଅଞ୍ଚଳର ପାନ ଦୋକାନ, ତେଜରାତି, ଜଳଖୁଆ ଦୋକାନ ସମେତ ଘରେ ଘରେ ନିଶାଦ୍ରବ୍ୟର ଅବାଧ ବିକ୍ରିବଟା ହେଉଥିବା ଅଭିଯୋଗ ହେଉଛି । ନିଶାଦ୍ରବ୍ୟର ଅବାଧ କାରବାର ରୋକିବା ନିମନ୍ତେ ବୋଦସା ପଞ୍ଚାୟତର କେତେକ ଯୁବକ ଅଣ୍ଟା ଭିଡିଥିବା ବେଳେ ପ୍ରଶାସନ ସେମାନଙ୍କୁ ସହଯୋଗର ହାତ ବଢାଉ ନଥିବାରୁ ନିଶାମୁକ୍ତ ବୋଦସା ପଞ୍ଚାୟତ ଗଠନ ସମ୍ଭବ ପର ହେଉନଥିବା ଯୁବ ଗୋଷ୍ଠୀର ସଦସ୍ୟମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ସମଗ୍ର ବୋଦସା ପଞ୍ଚାୟତରେ ନିଶାଦ୍ରବ୍ୟର ଅବାଧ କାରବାର ଉପରେ ରୋକ ଲଗାଇବା ଦିଗରେ ନୟାଗଡ ଅବକାରୀ ଅଧିକ୍ଷକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।