ସାଂପ୍ରତିକ ସାହିତ୍ୟରେ ଆଧୁନିକତାର ସତ୍ତା
ମାୟାଧର ନାୟକ : ବର୍ତ୍ତମାନର ସାହିତ୍ୟ ଆଧୁନିକ ସାହିତ୍ୟ ନ କହି ଏ ସାହିତ୍ୟକୁ ବରଂ ଶାସିତର ସାହିତ୍ୟ କହିଲେ ଅଧିକ ଯଥାର୍ଥ ହେବ । ଶାସିତର ସାହିତ୍ୟ ଏଇଥିପାଇଁ ଯେ ସେଥିରେ ଆଧୁନିକତାର କୌଣସି ଚିହ୍ନବର୍ଣ୍ଣ ନାହିଁ । ଜୀବନ ଆଗେଇ ଚାଲିବ, ପୃଥିବୀ କେତେ ପରିବର୍ତ୍ତନ ସାମ୍ନା କରୁଚି, ସମାଜରେ ନାନା ସଂଶୟ ଓ ସଂଘାତ ଉପୁଜୁଚି, ବ୍ୟକ୍ତିମାନସ କେତେ ଜଟିଳତାରେ ଜର୍ଜରିତ ହେଉଚି, ମଣିଷ ଜାତିର ଭବିଷ୍ୟତକୁ ନେଇ କେତେ କ’ଣ ଖେଳ ଆରମ୍ଭ ହୋଇସାରିଚି – ସବୁଠି ଆଶଙ୍କା, ଆତଙ୍କ, ଆପଦର ଆବର୍ତ - ଅଥଚ ଚାରି କାନ୍ଥର ଚୌହଦି ମଧ୍ୟରେ ସାହିତ୍ୟ ନାମରେ ଚାଲିଚି ସୌଖୀନ୍ ସର୍ଜନା ! ବୁଦ୍ଧି ଅଛି, ବିବେକ ନାହିଁ... ମସ୍ତିଷ୍କ ଅଛି, ହୃଦୟ ନାହିଁ... ପ୍ରଚାର ଅଛି, ପ୍ରାଣ ନାହିଁ – ଏମିତି ଏକ ଅନ୍ଧମୁହାଣିରେ ଭାରତର ସାହିତ୍ୟ ଆଜି କେବଳ ଭୁଆଁ ବୁଲୁଛି । ସାହିତ୍ୟ ଲେଖୁଛନ୍ତି ବୋଲି ଧରାଯାଉଥିବା ବହୁ ଧୁରୀଣ ବ୍ୟକ୍ତି ନିଜ ନିଜକୁ ଲେଖକ ରୂପରେ ଚିହ୍ନଟ କରାଉଛନ୍ତି ସିନା, ମାତ୍ର ପ୍ରକୃତରେ ସେମାନେ କ’ଣ ଲେଖକ ପଦବାଚ୍ୟ? ବରଂ ଲେଖକ ନ କହି ସେମାନଙ୍କୁ ଲେଖାଳି କହିଲେ ଠିକ୍ ହେବ । ସେମାନେ ଲେଖାଳି – କାହିଁକିନା ସେମାନଙ୍କର ସାହିତ୍ୟ-ଚିନ୍ତନ ମୌଳିକତାହୀନ, ସାହିତ୍ୟଦୃଷ୍ଟି ମନନଶୂନ୍ୟ । ନିଜ ମାଟି-ପାଣି-ପବନର ରୂପ-ରସ-ଗନ୍ଧ ସେମାନଙ୍କ ସାହିତ୍ୟରେ ନାସ୍ତି । ଏକ ପ୍ରକାର ଔପନିବେଶିକ ଅନୁଶାସନକୁ ଅକ୍ଷରେ ଅକ୍ଷରେ ମାନିନେଇ ସେମାନେ ଆଧୁନିକ ସାହିତ୍ୟ ଲେଖନ୍ତି ବୋଲି ପ୍ରଚାରିତ ହୋଇ ଆସୁଛନ୍ତି ମାତ୍ର । ନ ହେଲେ ମାଟି ଆଉ ମଣିଷର ମର୍ମକଥା, ସମକାଳୀନ ପ୍ରଜନ୍ମର ପ୍ରାଣପୀଡ଼ା, ନିଜ ସମୟର ଅନ୍ତଃସ୍ୱରରୁ ସେମାନଙ୍କ ସାହିତ୍ୟ ବଂଚିତ ।
ବର୍ତ୍ତମାନର ସାହିତ୍ୟ କିତାବୀ କୀଟସାହିତ୍ୟ – ଓଡିଆ ଓ ଅନ୍ୟାନ୍ୟ ଭାଷାରେ ଏଇ କୋଡିଏ ତିରିଶ ବର୍ଷ ଧରି ସାହିତ୍ୟ ଆଳରେ କେବଳ ଏକ ଅପରାହ୍ଣଧର୍ମୀ ଆହରଣକାମୀ ଅଭ୍ୟାସକୁ ଅକ୍ଷର ରୂପ ଦିଆଯାଇ ଆସୁଛି । ମହାଭାରତରେ କୋକୁଆ ମାତିବା ପରି ଏବର ଏଇ ଦୋ’ନମ୍ବରୀ ସାହିତ୍ୟରେ ସେମିତି ଅବକ୍ଷୟର ଅଣଚାଶ ମାଡ଼ି ଆସିଚି । ଯେଉଁଠି ଦେଖ କେବଳ ଶୂନ୍ୟତାର ସ୍ୱର, ହତାଶାର ହାହାକାର, ବିଚିତ୍ର ବିକଳପଣର ବିଜ୍ଞପ୍ତି । ସାହିତ୍ୟରେ ଦେଖାଦେଇଛି ବିଷୟବସ୍ତୁର ସଂକଟ । ଶୈଳୀସର୍ବସ୍ୱ ଆଭିମୁଖ୍ୟ ଆଜି ସାହିତ୍ୟର ଧ୍ୟେୟ ଓ ଶ୍ରେୟ । ଆମର ଅଧିକାଂଶ ଲେଖକ କେତେଦୂର ଗାଆଁଗହଳର ଗହନ ଚିତ୍ରକୁ ରଙ୍ଗାଇ ପାରନ୍ତି? ସେମାନେ କ’ଣ ବଂଚିବାର ସଂଗ୍ରାମ ଓ ସଂଘାତରେ ପ୍ରତି ମୁହୂର୍ତ୍ତରେ ଜୀବନ୍ତ ସହିଦ ପାଲଟୁଥିବା ସାଧାରଣ ମଣିଷର କଥା ଓ ବ୍ୟଥାକୁ ନିଜ ସାହିତ୍ୟର ସରହଦକୁ ପାଛୋଟି ଆଣିଛନ୍ତି? ବର୍ତ୍ତମାନର ସାହିତ୍ୟରେ ବର୍ତ୍ତମାନର ଜୀବନ ନାହିଁ, ସ୍ପର୍ଶ ନାହିଁ, ସଂଘର୍ଷ ନାହିଁ - ପରିବର୍ତନ ଓ ବିବର୍ତ୍ତନର ପ୍ରମାଣପତ୍ର ନାହିଁ । ସୁତରାଂ ସାଂପ୍ରତିକ ସାହିତ୍ୟ ସମାଜ-ଜୀବନଠାରୁ ସୁଦୂରବର୍ତ୍ତୀ ହୋଇ ଉଠିବା ଫଳରେ ହରାଇ ବସୁଛି ପ୍ରବୃଦ୍ଧିଶୀଳ ପାଠକୀୟତା । ହଁ, ଆଜି ସାହିତ୍ୟରେ ଶହଶହ ଲେଖକଙ୍କ ଥାଟପଟାଳି, ମାତ୍ର ପାଠକ ଶହେରେ ସାତଜଣ ବାହାରିବେ କି ନାହିଁ ସନେ୍ଦହ ! ଏପରିକି ଯେଉଁମାନେ ତିରିଶ ଚାଳିଶବର୍ଷ ହେଲା ଲେଖାଲେଖି କରି ଆସୁଛନ୍ତି ସେମାନେ ନିଜ ଲେଖା ଛଡା ଅନ୍ୟ ଲେଖକମାନଙ୍କୁ ପଢିଥାନ୍ତି କି ଆନ୍ତରିକତାର ସହିତ? ବରଂ ବିଭିନ୍ନ ଭାଷାର ଲେଖକ ତା ନିଜ ଭାଷାର ବହି ନ କିଣି କିଣିଥାଏ ବିଦେଶୀ ଭାଷାର ବହି । ସେ ସାରଳାଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଭିମନୁ୍ୟ ସାମନ୍ତସିଂହାର, ଗୋପାଳକୃଷ୍ଣ, ବଳଦେବ ରଥ କି ଭୀମ ଭୋଇଙ୍କୁ ପଢି ନ ଥାଏ – କିନ୍ତୁ ସଦ୍ୟ ବିଦେଶୀ ଲେଖକମାନଙ୍କ ସବୁ ଖବର ତା’ ନଖଦର୍ପଣରେ ! ମୁଁ କହୁନାହିଁ ଯେ ବିଦେଶୀ ଲେଖକଙ୍କ ବହିକୁ ବର୍ଜନ କରାଯାଉ – କାହିଁକିନା ସାହିତ୍ୟରେ ଏ ପ୍ରକାର ସ୍ୱଦେଶୀ ଆନେ୍ଦାଳନର କୌଣସି ସ୍ଲୋଗାନ୍ ବେଶିଦିନ ଚାଲିପାରେନା । ମାତ୍ର ମୋର କହିବାର କଥା ହେଉଚି - ନିଜ ଭାଷା, ନିଜ ସାହିତ୍ୟ ପ୍ରତି ଆମ ତଥାକଥିତ ଲେଖକମାନଙ୍କର ଏ ଧାରାବାହିକ ହୀନମନ୍ୟତାକୁ ଆମେ ବରଦାସ୍ତ କରି ଚାଲିଥିବା ଆଉ କେତେଦିନ? ଏବେ ଆଉ ଏକ ଦୁଃଖଦାୟକ ଦିଗ ଉପରେ ଆଲୋକପାତ କରାଯାଉ । ଆଜି ଓଡିଆ ସାହିତ୍ୟ କ୍ଷେତ୍ରରେ ଲେଖକମାନଙ୍କ ଗହଳଚହଳ ଯେତେ ନଜରକୁ ଆସୁଛି, ସେ ଗହଳି ଭିତରେ ଆମେ କୌଣସି ବ୍ୟକ୍ତିତ୍ୱଗତ ବିଶାଳତା କି ବ୍ୟାପକତା ଲକ୍ଷ୍ୟ କରି ପାରୁଛୁ କି? ଏଇ କିଛି ବର୍ଷ ତଳେ ଆମ ଆଖି ଆଗେ ଆଗେ ଆମେ ଦେଖୁଥିଲୁ ମହାନ୍ ସାହିତ୍ୟକର୍ମା ସେଇ ବିରଳ ବ୍ୟକ୍ତିତ୍ୱମାନଙ୍କୁ – ଯେଉଁମାନେ ପ୍ରତିଭାତ ହେଉଥିଲେ ଗୋଟିଏ ଗୋଟିଏ ଅନବଦ୍ୟ ନକ୍ଷତ୍ର ଭଳି । ମୁଁ ନିଜେ ଲକ୍ଷ୍ୟ କରିଚି, ସାହିତ୍ୟଦୃଷ୍ଟି ଓ ଦର୍ଶନକୁ ନେଇ ସେମାନେ ମଂଚରେ ବିତର୍କ ସୃଷ୍ଟି କରିଥାନ୍ତି ସିନା ହେଲେ ବ୍ୟକ୍ତିଗତ ସଂପର୍କରେ ସେମାନେ ବରାବର ବନ୍ଧା ଥିଲେ ପରମ ସୌହାର୍ଦ୍ଦ୍ୟର ସୂତ୍ରରେ । ଆଜିର ସାହିତ୍ୟରେ ବ୍ୟକ୍ତିତ୍ୱର ସଂକଟ ଏକ ଦୁଃଖଦ ସତ୍ୟ । ସେଇଭଳି ବିଶାଳ ବ୍ୟକ୍ତିତ୍ୱ କ’ଣ ଆଜିକାଲି ଦେଖିବାକୁ ମିଳୁଛନ୍ତି ସତରେ? ଇତିହାସରେ ଡାଇନୋସାର୍ମାନଙ୍କ ଯୁଗ ସରିଯାଇଥିବା ପରି ସାହିତ୍ୟରେ ମଧ୍ୟ ସଂପ୍ରତି ବ୍ୟକ୍ତିତ୍ୱର ସ୍ୱର ନିଶ୍ଚିହ୍ନ । ପୁରସ୍କାର ନପାଇଥିବା ବହୁ ବ୍ୟକ୍ତିତ୍ୱଶାଳୀ ସାହିତି୍ୟକଙ୍କ ସିଂହାସନ ଥିଲା ସେତେବେଳେ ପାଠକର ହୃଦୟ ! ଏ ସୌଭାଗ୍ୟ କିନ୍ତୁ ଆଜିର ବହୁ ନାମୀଦାମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ କପାଳରେ ଜୁଟିପାରିଛି କି?
ଶାସିତର ସାହିତ୍ୟ ଏ ଆଜିର କଲମୀ ସାହିତ୍ୟ । ସାଧାରଣ ମଣିଷର ଅନୁପ୍ରବେଶ ଏ ନକଲକରା ସାହିତ୍ୟରେ କାହିଁ? ଶାସନର ବରାଦୀ ବ୍ୟବସ୍ଥା ଭିତରେ, ପ୍ରଶାସନର ପ୍ରହେଳିକା ମଧ୍ୟରେ ସାହିତ୍ୟ ଦ୍ୱାହିରେ ସୃଷ୍ଟି ହେଉଛି ପ୍ରବଂଚନାର ପ୍ରସାରିତ ପରମ୍ପରା । ସତ୍ୟ ନୁହେଁ, ମିଥ୍ୟା ହିଁ ଆଜି ପାଲଟିଛି ସାହିତ୍ୟର ସୂଚିପତ୍ର । ବିବେକବୋଧ ନୁହେଁ, ବିଚାରବୋଧ ନୁହେଁ – ବିଶ୍ୱାସଘାତକତା ହିଁ ଆଜି ହୋଇପଡିଛି ଓଡିଆ ସାହିତ୍ୟର ମୁଖ୍ୟ ବିଷୟବସ୍ତୁ । ଆଜିର ଛଦ୍ମସାହିତ୍ୟ ପ୍ରକୃତରେ ବିଶ୍ୱାସଘାତକତା କରିଚାଲିଚି ଚାରିପଟର ଛିନ୍ନବିଚ୍ଛିନ୍ନ ସମାଜଜୀବନ ପ୍ରତି ଏବଂ ଆଜିର ଲେଖକ ମଧ୍ୟ ନିଜ ପ୍ରତି ।
ଆଜି ସାହିତ୍ୟ ଏଇ ବିଶ୍ୱାସକୁ ଫେରାଇ ଆଣିବା ଦରକାର - ଯାହା ଏ ତଥାକଥିତ ଆଧୁନିକ ସାହିତ୍ୟର ସାମର୍ଥ୍ୟ ବାହାରେ । ଆଧୁନିକ ସାହିତ୍ୟର ମୁଖାପିନ୍ଧା ଏକ ବିଶ୍ୱାସଘାତକ ପରମ୍ପରାର ପୂର୍ଣ୍ଣଚ୍ଛେଦ ନପଡିଲେ, ପ୍ରକୃତ ସାହିତ୍ୟ ପାଇଁ ସମ୍ଭାବନା ସୃଷ୍ଟି ହେବ କିପରି? ନିଃଶ୍ୱାସରେ ନୁହେଁ, ବିଶ୍ୱାସରେ ହିଁ ବଂଚିବାର ବୀଜମନ୍ତ୍ର ଆମେ ସାହିତ୍ୟଠାରୁ ଆଶା କରୁଛୁ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩