ବଣମଲ୍ଲୀ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମରେ ରହିବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା 

 କବାଟବନ୍ଧ : ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହେବାକୁ ଥିବା ପଂଚମ ବାର୍ଷିକ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗ ଦେବେ । ବୃନ୍ଦାଦେଈପୁର ସ୍ଥିତ ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନର ଆୟୋଜନରେ ଯାଜପୁର ଜିଲ୍ଲାର ପାଖାପାଖି ୬୦ଟି ଉଚ୍ଚ ବିଦ୍ୟାଳୟରୁ ଛାତ୍ରଛାତ୍ରୀଯୋଗ ଦେଇ ବିଜ୍ଞାନ ପ୍ରକଳ୍ପ, ତର୍କ, ପ୍ରବନ୍ଧ ଲିଖନ, କବିତା ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବେ । ଏହା ସହ ସାଧାରଣ ଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଚଳିତମାସ ୩୧ ତାରିଖ ରବିବାର ସକାଳ ୯ ଘଟିକାରୁ ୪ଘଟିକା ଯାଏ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଅନୁଷ୍ଠାନ ପକ୍ଷରୁ ଉପଦେଷ୍ଟା ତଥା ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ, ଉପସଭାପତି ନିର୍ମାଲ୍ୟ କୁମାର ପ୍ରଧାନ, ସମ୍ପାଦକ ମାନସ ରଞ୍ଜନ ପ୍ରଧାନ, ସଦସ୍ୟ ଲାଲମୋହନ ଶତପଥୀ ଓ ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ସମାସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ କେନ୍ଦୁଝର ଜିଲ୍ଲାର ବଡବିଲ ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତି ଠାରେ ସାକ୍ଷାତ କରି ନିମନ୍ତ୍ରଣ କରିଥିଲେ । ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ତାଙ୍କ ଯୋଗଦାନ ଅଂଚଳ ତଥା ଅନୁଷ୍ଠାନ ପାଇଁ ଏକ ସୌଭାଗ୍ୟର ବିଷୟ ହେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବ ବୋଲି ମତପ୍ରକାଶ ପାଇଛି ।