ବଣ୍ଡା ଜନଜାତିର ଝିଅକୁ ନିଟ୍ ପଢାଇବ : କଳିଙ୍ଗ ପ୍ରତିଶ୍ରୁତି ପାଳନ କଲେ ଆଲେକଜାଣ୍ଡାର
ବ୍ୟାସନଗର : କେବଳ ପାଠପଢା ନୁହେଁ ସମାଜସେବା ଦିଗରେ ମଧ୍ୟ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମୂହ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ବା କେଜିଆଇ । ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ ପଢ଼ାଇ ଅନେକ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଛି କେଜିଆଇ । ଗତବର୍ଷ କେଜିଆଇର ସିଭିଲ ସର୍ଭିସ ପ୍ରସ୍ତୁତି ନିମନ୍ତେ ଥିବା ଶିକ୍ଷାନୁଷ୍ଠାନ କଳିଙ୍ଗ ଏକାଡେମୀ ଅଫ୍ ସିଭିଲ ସର୍ଭିସ (କ୍ୟାକ୍ସ୍)ରୁ ତାଲିମ ନେଇ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବା ବଣ୍ଡା ଜାତିର ପ୍ରଥମ ଓଏଏସ୍ ବିନି ମୁଦୁଲିଙ୍କ ଅନୁରୋଧ କ୍ରମେ କେଜିଆଇର ଅଧ୍ୟକ୍ଷ ଇଂ ଦାସ ମୁଦୁଲିପଡ଼ାର ସ୍ୱର୍ଗତ ମଙ୍ଗଳା ମୁଦୁଲିଙ୍କ ଝିଅ ଆଲିମା ମୁଦୁଲିଙ୍କୁ ନିଟ୍ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ତାଲିମ୍ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ବର୍ତମାନ ତାଙ୍କର ପ୍ରତିଶ୍ରୁତି ପାଳନ କରିଛନ୍ତି । ଏବର୍ଷ ଆଲିମାଙ୍କର + ଦୁଇ ପରେ କେଜିଆଇର ନିଟ୍ ତାଲିମ ପାଇଁ ଥିବା ଶିକ୍ଷାନୁଷ୍ଠାନ କଳିଙ୍ଗ ଗ୍ଲୋବାଲ ଏକାଡେମୀର ସଦ୍ୟ ଆରମ୍ଭ ହେଇଥିବା ନିଟ୍ ବ୍ୟାଚରେ ନିଜର ପାଠପଢ଼ା ଆରମ୍ଭ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଗତବର୍ଷ ଆରମ୍ଭ ହୋଇଥିବା ପ୍ରଥମ ବ୍ୟାଚର ୨ ଜଣ ଛାତ୍ରଛାତ୍ରୀ ଏବର୍ଷ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି । କେଜିଆଇର ସାମାଜିକ ଅନୁଷ୍ଠାନ ଆର୍ୟାଲେକ୍ସ ଫାଉଣ୍ଡେସନ ଫର୍ ସୋସିଆଲ ଆକ୍ଟିଭିଟିଜ୍ (ଆଫସା) ଆଲିମାଙ୍କର ନିଟ୍ କୋଚିଂ ନିମନ୍ତେ ଖର୍ଚ୍ଚ ହେଉଥିବା ପ୍ରାୟ ୧.୫ଲକ୍ଷରୁ ଅଧିକ ଟଙ୍କା ବହନ କରିବ ବୋଲି ଏହାର ପ୍ରତିଷ୍ଠାତା ଇଂ ଦାସ ପ୍ରକାଶ କରିବା ସହିତ ଆର୍ଥôକ ଅଭାବ ତଥା ସାମ୍ପ୍ରତିକ ପରିସ୍ଥିତି ପାଇଁ ନିଜର ସ୍ୱପ୍ନ ପୂରଣ କରିବାରୁ ବଂଚିତ ହେଉଥିବା ପ୍ରତିଭା ମାନଙ୍କର ସ୍ୱପ୍ନକୁ ସାକାର କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ଆଲିମାଙ୍କୁ ଛାଡ଼ିବାକୁ ଆସିଥିବା ତାଙ୍କର ଦୁଇ ଭାଇ କେଜିଆଇର ଆତିଥ୍ୟତାର ପ୍ରଶଂସା କରିବା ସହିତ ଏପରି ଏକ ଦୁର୍ଗମ ଅଂଚଳ ଯେଉଁଠାରେ ସରକାରୀ ସହାୟତା ମଧ୍ୟ ପହଁଚି ପାରୁନାହିଁ, ସେପରି ସ୍ଥାନରୁ ଆସିଥିବା ତାଙ୍କ ଭଉଣୀଙ୍କର ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ଇଂ ଦାସଙ୍କର ଏପରି ପଦକ୍ଷେପ ପାଇଁ ସାଧୁବାଦ ଜଣାଇଥିଲେ ।