ଡେରାବିଶ ବ୍ଲକ ପରିସରରେ ଦୁଇ ନେତା ହାତାହାତି
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ପରିସରରେ ପଂଚାୟତ ସମିତି ବୈଠକ ଚାଲିଥିବା ବେଳେ ଦୁଇ ନେତାଙ୍କ ହାତାହାତି ଘଟଣା ସାଧାରଣରେ ଆଲୋଚନା ର ପ୍ରସଙ୍ଗ ପାଲଟିଛି । ତେବେ ଏହି ୨ ନେତା ପୂର୍ବରୁ ଗୋଟିଏ ଦଳରେ ରହି ବିଧାନସଭା ଟିକେଟ ପାଇଁ ଜୋରଦାର ଲବି ଚଳାଇଥିଲେ । ତେବେ ଏହି ୨ଜଣଙ୍କ ମଧ୍ୟରୁ କେହି ଟିକେଟ ପାଇବାରେ ସଫଳ ହୋଇ ନାହାଁନ୍ତି । ସରୋଜ ସାହୁ ପରେ ବିଜେପି ରେ ସାମିଲ ହୋଇଥିବା ଜଣାପଡିଛି । ଆଜି ପଞ୍ଚାୟତ ସମିତି ବୈଠକ ଚାଲିଥିବା ବଳେ ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବର୍ତମାନ ର ସମିତି ସଭ୍ୟ ସରୋଜ ସାହୁ ବୈଠକରେ ଉପସ୍ଥିତ ଥିଲେ । ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ବିଜେଡି ନେତା ଅଜୟ କୁମାର ରାଉତ ତାଙ୍କୁ ଦେଖା କରିବା ପାଇଁ ବ୍ଲକ ପରିସରରେ ପହଁଚି ସରୋଜଙ୍କୁ ଡକାଇ ଥିଲେ । ଉଭୟ କଥାବାର୍ତା ହେବା ସହ ଉଭୟଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରି ଧକା ବେକୁଆ ମରାମରିରେ ହାତାହାତି ହେବାର ଦେଖା ଦେଇଥିଲା । ବ୍ଲକ ପରିସରରେ ଉପସ୍ଥିତ ଥିବା ବହୁ ସାମ୍ବାଦିକ ଓ ଖବର ପାଇ ନିଜେ ବିଡିଓ ନମିତା ବାରିକ ଘଟଣା ସ୍ଥଳରେ ପହଁବି ଉଭୟଙ୍କୁ ବୁଝାସୁଝା କଲେ ମଧ୍ୟ କେହି ପଛକୁ ହଟିବାକୁ ରାଜି ନଥିଲେ । ଯେତେ ଅଟକାଇଲେ ମଧ୍ୟ ଉଭୟ ଉଭୟଙ୍କ ଆଡକୁ ଆକ୍ରମଣାତ୍ମକ ଭଙ୍ଗୀରେ ମାଡି ଯାଉଥିଲେ । ତେବେ ପ୍ରଫେସର ଅଜୟ ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗତ ପଞ୍ଚାୟତ ନିର୍ବାଚନ ବେଳେ ସରୋଜ ସାହୁ ମୋ ଠାରୁ ୧୨ ଲକ୍ଷ ଟଙ୍କା ନେଇଛନ୍ତିି । ଏହାର ଲେଖା ମଧ୍ୟ ମୋ ପାଖରେ ଅଛି । ଟଙ୍କା ମାଗିଲା ବେଳକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି । ଅପର ପକ୍ଷରେ ସରୋଜ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏହି ଘଟଣା ଡେରାବିଶ ଅଞ୍ଚଳରେ ଓ କେନ୍ଦ୍ରାପଡା ସହରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଏହି ହାତାହାତି ଘଟଣା ରାଜନୈତିକ କାରଣରୁ ବା ଆର୍ଥିକ କାରବାର ରୁ ହୋଇଥିବା ସ୍ପଷ୍ଟ ହୋଇନାହିଁ ।