ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠିକଣା: ସପରିବାର ସହ କଲେ ଗୃହ ପ୍ରବେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଠିକଣା ବଦଳିଛି । ଲୋୟର ପିଏମ୍ଜିର ୟୁନିଟ୍-୨ ସ୍ଥିତ କ୍ୱାଟର୍ସ ଛାଡି ୟୁନିଟ୍-୫ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟସ୍ଥ ଭିଆଇଆଇଆଇ ଡିଏସ୍-୧ କ୍ୱାର୍ଟର୍ସକୁ ସ୍ଥାନାନ୍ତର ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା ହେବାସହ ଗୋମାତାଙ୍କ ପ୍ରବେଶ ପରେ ସପରିବାର ସହ ପୂର୍ବାହ୍ଣ ୧୦ଟା ୪୭ରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ସକାଳୁ ପୁରୀରୁ ଆସିଥିବା ୧୧ଜଣ ପୁରୋହିତ ଗୃହ ପୂଜା କରିଥିଲେ । ଶୁଭ ମୁହୁର୍ତ୍ତ ୧୦ଟା ୪୭ରେ ଦୁଇ ଛୋଟ ବାଛୁରୀଙ୍କୁ ପୂଜା କରାଯାଇ ଗୃହ ପ୍ରବେଶ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପତ୍ନୀ ଓ ଦୁଇ ପୁଅଙ୍କ ସହ ଗୃହ ପ୍ରବେଶ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଗୃହ ପୂଜା କରିବାକୁ ଆସିଥିବା ପୂଜକ ଦିଲ୍ଲୀପ ପଣ୍ଡା କହିଛନ୍ତି । ୫ମାସ ଧରି ଏହି ବାସଭବନର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଏବେ ଶୁଭ ମୁହୂର୍ତ୍ତ ଦେଖି ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେପରି ଘରେ କୌଣସି ଜରୁରି ବୈଠକ କରିପାରିବେ ସେଥିପାଇଁ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ୱାଚ୍ଟାୱାର ମଧ୍ୟ ନିର୍ମାଣ କରାଯାଇଛି । ଏଥିରେ୨୪ଘଣ୍ଟା ସୁରକ୍ଷାକର୍ମୀ ମୁତୟନ ରହିବେ । ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଉଥିବାରୁ ସେହି ଅନୁଯାୟୀ କ୍ୱାର୍ଟର୍ସ ବାହାରେ ସୁରକ୍ଷାକର୍ମୀ ମୁତୟନ ବ୍ୟବସ୍ଥା କରାଯାଇଛି ।