ଡବଲ ମର୍ଡର: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଡବଲ ମର୍ଡର: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର ଟାଉନ : ବୁଧବାର ଜିଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦ ଏକତରଫା ପ୍ରେମକାଣ୍ଡକୁ ନେଇ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ଏକ ରାୟ ପ୍ରକାଶ କରିଛନ୍ତି । ବିବରଣୀରୁ ପ୍ରକାଶ, ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର (ସାଲେପୁର) ଅଂଚଳର ନୀଳମଣି ଜେନାଙ୍କ ପୁଅ ସୁନିଲ (୨୪) ବି.କମ୍ ପଢ଼ୁଥିବା ସମୟରେ ମିର୍ଜାପୁର ଗ୍ରାମର ମହାନ୍ତି ସାହିରେ ଭଡାଘର ନେଇ ରହିଥିବା ନିତ୍ୟରଂଜନ ମଲ୍ଲିକଙ୍କ ଝିଅ ଜୟଶ୍ରୀ ମଲ୍ଲିକଙ୍କୁ ଏକତରଫା ପ୍ରେମ କରୁଥିଲେ । ଜୟଶ୍ରୀ କଟକର ଏକ ବେସରକାରୀ କଲେଜରେ +୨ବିଜ୍ଞାନ ଛାତ୍ରୀ ଭାବେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ଜୟଶ୍ରୀଙ୍କୁ ସୁନିଲ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବାପରେ ଗତ ୨୦୨୦ ମସିହା ଜୁଲାଇ ମାସ ୫ ତାରିଖ ପ୍ରାୟ ରାତି୧୦.୩୦ମିନିଟ୍ ସମୟରେ ନିତ୍ୟରଂଜନଙ୍କ ଘରେ ପଶି ଏକ ଧାରୁଆ ଅସ୍ତ୍ରରେ ନିତ୍ୟରଂଜନ ଓ ତାଙ୍କ ସ୍ତ୍ରୀ ତରୁଲତା ବିଶ୍ୱାଳଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତରୁଲତା ବିଶ୍ୱାଳଙ୍କର ମୃତୁ୍ୟ ଘଟିଥିବା ବେଳେ ନିତ୍ୟରଂଜନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପଠାଇଥିଲେ । ଦୀର୍ଘ ୨୦ଦିନ ଚିକିତ୍ସିତ ହେବାପରେ ନିତ୍ୟରଂଜନ ମୃତୁ୍ୟବରଣ କରିଥିଲେ । ଏହାଛଡା ସୁନିଲ ଜୟଶ୍ରୀଙ୍କୁ ମଧ୍ୟ ଛାଡି ନଥିଲେ, ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କ ବାମ ଆଖିକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥିଲା । ଏଠାରେ ସୂଚନା ଯୋଗ୍ୟ ଜୟଶ୍ରୀଙ୍କ ମା’ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ବାପା ନିତ୍ୟାରଞ୍ଜନ ମଲ୍ଲିକ ଜଣେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଘଟଣା ପରଦିନ ଜୟଶ୍ରୀ ମଲ୍ଲିକଙ୍କ ମାମୁଁ ବ୍ରଜ କିଶୋର ବିଶ୍ୱାଳ ଧର୍ମଶାଳା ଥାନାରେ ଲିଖିତ ଏତଲା ପ୍ରଦାନ କରିଥିଲେ । ଲିଖିତ ଏତଲାକୁ ଆଧାର କରି ଧର୍ମାଶାଳା ଥାନା କେସ୍ ନଂ୨୬୫/୨୦ମୁତାବକ କେସ୍ ରୁଜୁ କରି ଆସାମୀ କୁମାର ଜେନାକୁ ଗିରଫ କୋର୍ଟ ·ଲାଣ କରିଥିଲେ । ତେବେ ଏହି ମାମଲାର ଚୁଡାନ୍ତ ଶୁଣାଣି କରି୨୩ଜଣ ସାକ୍ଷୀ ଓ ୩୫ ଟି ଦସ୍ତାବିଜ୍ ର ପ୍ରମାଣକୁ ଭିତିକରି ବୁଧବାର ଜିଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ହଜାର ଟଙ୍କା ଜରିମାନା କରି ଏକ ରାୟ ପ୍ରକାଶ କରିଛନ୍ତି । ଜରିମାନା ଅନାଦେୟରେ ଆସାମୀକୁ ଅଧିକ ୬ମାସ ଜେଲଦଣ୍ଡାଦେଶ ଭୋଗିବେ ବୋଲି ରାୟରେ ପ୍ରକାଶିତ ହୋଇଛି । ମାମଲାଟିକୁ ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକୁ୍ୟଟର ମୋନାଲି ରାଇସା ଓ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକୁ୍ୟଟର ସମରେନ୍ଦ୍ର ଦାସ ପରିଚାଳନା କରିଥିଲେ ।