ବନ୍ଧାହେଲେ ସହକାରୀ ପ୍ରାଧ୍ୟାପକ : ଛାତ୍ରୀଙ୍କୁ କରିଥିଲେ ପ୍ରତାରଣା
ସମ୍ବଲପୁର : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜଣେ ସହକାରୀ ପ୍ରାଧ୍ୟାପକଙ୍କୁ ଗିରଫ କରାଯାଇଛି । ଗିରଫ ସହକାରୀ ପ୍ରାଧ୍ୟାପକ ଗୋପୀକାନ୍ତ ସୁନାଙ୍କୁ ସମ୍ବଲପୁର ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନାଯୋଗ୍ୟଯେ, ୪ ମାସ ତଳେ ଛାତ୍ରୀ ଜଣଙ୍କ ଅସଦାଚରଣ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ଶ୍ରୀ ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ । ହେଲେ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମାତ୍ର ଏଫଏମ୍ କଲେଜର ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପରେ ସରକାର ତତ୍ପର ହୋଇଛନ୍ତି ।
ଗିରଫ ଅଧ୍ୟାପକଙ୍କ ଘର ବରଗଡ ଜିଲ୍ଲା ବୁଡେନ୍ ଥାନା ଅଧୀନ ଦହିତା ଗାଁରେ ବୋଲି ଜାଣିବାକୁ ମିଳିଛି । ଏହି ଅଭାବନୀୟ ଘଟଣା ମର୍ଯ୍ୟାଦାସମ୍ପନ୍ନ ଜିଏମୟୁର ଛବିରେ ଦାଗ ଲଗାଇଛି । ସମାଜର ସବୁ ବର୍ଗର ବ୍ୟକ୍ତି ସମୂହ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ।