ବନ୍ଧୁକ ସହ ୪ ଶିକାରୀ ଗିରଫ

କପ୍ତିପଦା : ଜଙ୍ଗଲରେ ଶିକାରୀମାନଙ୍କୁ ଧରିବାକୁ ଯାଇଥିଲା କପ୍ତିପଦା ବନବିଭାଗ  । ମାତ୍ର ବନବିଭାଗ ଟିମ୍କୁ ଲକ୍ଷ୍ୟ କରି ଗୁଳି ମାରିଲେ ଶିକାରୀ  । ମାତ୍ର ତାହା ଲକ୍ଷ୍ୟଭ୍ରଷ୍ଟ ହେଲା  । ଏହାର ପ୍ରତି ଜବାବରେ ବନବିଭାବ ଓ ଏସଟିପିଏଫ୍ ମଧ୍ୟ ଫାଙ୍କା ଗୁଳି ଚାଳନା କରିଲେ  । ଏଭଳି ଘଟଣା ଘଟିଛି କପ୍ତିପଦା ବନାଞ୍ଚଳ ଅଧିନ ପୋଡାଡିହା ରେଞ୍ଜ ଅନ୍ତର୍ଗତ ମନଭଙ୍ଗା ବିଟ୍ ଅଞ୍ଚଳରେ  । ଗତକାଲି ରାତିରେ ବନବିଭାଗ ଓ ଏସଟିପିଏଫ୍ ମିଳିତ ଚଢଉ କରି ୬ଜଣ ଶିକାରୀ ଜଙ୍ଗଲ ଭିତରେ ରୋଷେଇ କରୁଥିବାର ଦେଖିବାକୁ ପାଇଥିଲେ  । ବନବିଭାଗ ଓ ଏସଟିପିଏଫ୍ ଟିମକୁ ଦେଖି ଶିକାରୀମାନେ ୨ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ  । ଏହାର ଜବାବରେ ଏସଟିପିଏଫ ଟିମ୍ ମଧ୍ୟ ଫାଙ୍କା ଗୁଳି ଚଳାଇଥିଲେ  । ତେବେ ଘଟଣାସ୍ଥଳରେ ଜଣେ ଶିକାରୀକୁ ଗିରଫ କରାଯାଇଥିବାବେଳେ ଗୋଟିଏ ଦେଶୀ ବନ୍ଧୁକ ଜବତ୍ କରିଥିଲେ  । ସେଠାରୁ ଅନ୍ୟ ୫ଜଣ ଶିକାରୀ ଖସିଯାଇଥିଲେ  । ତେବେ ଗିରଫ ଶିକାରୀକୁ ପଚରାଉଚୁରା କରିବାପରେ କଟୁରିଆ ଅଶ୍ୱକୁଟୀ ଅଞ୍ଚଳରୁ ଅନ୍ୟ ୩ଜଣ ଶିକାରୀକୁ ଗିରଫ ଓ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକକୁ ଜବତ୍ କରିଥିଲେ  । ଅନ୍ୟ ୨ଜଣ ଶିକାରୀ ଫେରାର ହୋଇଯାଇଛନ୍ତି  । ଗିରଫ ଶିକାରୀମାନେ ହେଲେ ଅଶ୍ୱକୁଟୀର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଙ୍କିରା, କାର୍ତ୍ତିକ ସିଂ ବାଙ୍କିରା  ।