ପିଡିଏସ୍ ଚାଉଳ ବଣ୍ଟନରେ ହେରଫେର 

ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତରେ ହିତାଧିକାରୀଙ୍କୁ ପିଡିଏସ୍ ଚାଉଳ ବଣ୍ଟନ ସହିତ ଚାଉଳ ଉଠାଣରେ ବ୍ୟାପକ ହେରାଫେରି ସହିତ ପାସ୍ ବହିରୁ ଟଙ୍କା ଉଠାଣରେ ଜାଲିଆତି ହୋଇଥିବା ନେଇ ପଞ୍ଚାୟତର ମୁଖ୍ୟ ଖୋଦ୍ ସରପଞ୍ଚ କାର୍ତ୍ତିକେଶ୍ୱର ସିଂ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବିଡ଼ିଓଙ୍କୁ ଲିଖିତ ଜଣାଇ ଏହାର ଉଚିତ୍ ତଥା ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ଶାଳଗାଁ ପଞ୍ଚାୟତର ସୋରିଷକୋଠା ଗ୍ରାମରେ ସରପଞ୍ଚଙ୍କ ଘର । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଘର ଦୂରରେ ଥିବା ଓ ତାଙ୍କ ଅଜ୍ଞତାର ସୁଯୋଗ ନେଇ ସଂପୃକ୍ତ ପଞ୍ଚାୟତର ଯୋଗାଣ ସହାୟକ ସତ୍ୟରଞ୍ଜନ ମହାନ୍ତି  ବିଗତ ତିନି ବର୍ଷ ହେଲାଣି ଚାଉଳ ଉଠାଣ ଓ ବଣ୍ଟନରେ ହେରାଫେରି କରିବା ସହ ହିତାଧିକାରୀଙ୍କୁ ଦୁର୍ବ୍ୟବହାର କରିବା, କୌଣସି ପ୍ରସିଡ଼ିଂ ନ କରି ପାସ୍ ବହିରୁ ଟଙ୍କା ଉଠାଇନେବା, ସରକାରୀ ଅର୍ଥ ନିଜ ଇଚ୍ଛାରେ ଖର୍ଚ୍ଚ କରିବା, ଅଫିସ୍ କ୍ୟାସ୍ ବୁକ୍ ଘରକୁ ନେଇଯିବା, ଲାପଟପ୍ ନିଜେ ନେଇଯିବା ଭଳି ଅନିୟମିତତା କାର୍ଯ୍ୟ କରି ଆସୁଥିବାର ସମସ୍ତ ଅଭିଯୋଗ ସରପଞ୍ଚ କରିଛନ୍ତି । ଉକ୍ତ ଅଭିଯୋଗକୁ ଭିତ୍ତି କରି ବିଡ଼ିଓଙ୍କ ନିଦେ୍ର୍ଦଶକ୍ରମେ ଯୋଗାଣ ଅଧିକାରିଣୀ ହରପ୍ରିୟା ସାହୁ, ଜିପିଓ ଅବିନାଶ ପଣ୍ଡା ପଞ୍ଚାୟତ କାର୍ଯ୍ୟାଳୟକୁ ତଦନ୍ତ ପାଇଁ ପହଞ୍ଚିଥିଲେ । ଅଭିଯୁକ୍ତଙ୍କୁ ତଦନ୍ତ ସ୍ଥାନକୁ ନ ଆଣି ରୁଦ୍ଧ ଦ୍ୱାର ତଦନ୍ତ କରିବାରେ ସ୍ୱଚ୍ଛତା ଏବଂ ଯୋଗାଣ ଅଧିକାରିଣୀଙ୍କ ତଦନ୍ତ ଧାରା ନେଇ ସରପଞ୍ଚଙ୍କ ସହିତ ସାଧାରଣ ହିତାଧିକାରୀ ପ୍ରଶ୍ନ ଉଠାଉଛନ୍ତି । ଏ ସମ୍ପର୍କରେ ଯୋଗାଣ ଅଧିକାରିଣୀଙ୍କ ସହିତ ଫୋନରେ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେବାକୁ ମନା କରିଦେଇଥିଲେ । ସରପଞ୍ଚଙ୍କ ସହିତ ଯୋଗାଯୋଗ କରିବାରେ ସେ କହନ୍ତି, ବିଡ଼ିଓ ଏବଂ ଯୋଗାଣ ଅଧିକାରିଣୀ ଉଚିତ୍ ପଦକ୍ଷେପ ନ ନେଲେ ଜିଲ୍ଲାପାଳ, ଯୋଗାଣ ମନ୍ତ୍ରୀଙ୍କ ନିକଟକୁ ଯିବେ ବୋଲି କହିଛନ୍ତି ।