ରୋଟାରୀ ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ : ମାନବ ସେବା ହିଁ ପ୍ରକୃତ ସେବା, ସର୍ବଦା କିଛି ବଡ଼ କରି ଦେଖାଇବା ହିଁ ବାସ୍ତବ ମାନବିକତାର ନୈତିକ ମୂଲ୍ୟବୋଧର ପରିଚୟ ଅଟେ । ରୋଟାରୀ ସର୍ବଦା ସମାଜ ଓ ଦେଶ ଗଠନରେ ସହାୟକ ହୋଇଥାଏ । ସବୁ ରୋଟାରିଆନ୍ ଏଦିଗରେ ସଂକଳ୍ପବଦ୍ଧ ହେବା ଆବଶ୍ୟକତା ରହିଛି ବୋଲି ୪୫ ତମ ରୋଟାରୀ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ଜିଲ୍ଲାପାଳ ତଥା ରୋଟାରିଆନ୍ ଅନିଲ କୁମାର ସାମଲ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସଭାପତି ଦାୟିତ୍ୱରୁ ରୋଟାରିଆନ ତଥା ବିପ୍ରଚରଣ ପାତ୍ର ଏବଂ ସାଧାରଣ ସମ୍ପାଦକ ପଦରୁ ବିଜୟ କୃଷ୍ଣ ପଟ୍ଟନାୟକ ଅବ୍ୟାହତ ନେଇଥିଲେ । ଫଳରେ ରୋଟାରିଆନ୍ ପ୍ରକାଶ କୁମାର ପଣ୍ଡା ପ୍ରେସିଡେଣ୍ଟ ଦାୟିତ୍ୱ ନୂତନ ଭାବେ ଗ୍ରହଣ କରିଛନ୍ତି ଏବଂ ରୋଟିରିଆନ୍ ବିରାଜ ପ୍ରସାଦ ନାହାକ ସାଧାରଣ ସମ୍ପାଦକ ରୂପେ ଦାୟିତ୍ୱ ନେଇଛନ୍ତି । ବିଦାୟୀ ସଭାପତି ଶ୍ରୀ ପାତ୍ର ଓ ସମ୍ପାଦକ ଶ୍ରୀ ପଟ୍ଟନାୟକଙ୍କୁ ବିଦାୟ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ନୂତନ ସଭାପତି ଓ ସମ୍ପାଦକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହିତ ବିଭିନ୍ନ ଜିଲ୍ଲାର ରୋଟାରିଆନ୍ ଓ ସଭାପତିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଛୋଟ ପିଲାମାନଙ୍କୁ ଯେଉଁମାନେ ଆଗାମୀ ଦିନର ରୋଟାରିଆନ୍ ହେବେ ସେମାନଙ୍କୁ ଗଜାନନଙ୍କ ମୂର୍ତ୍ତି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ସ୍ନେହଲତା ମିଶ୍ର ରୋଟାରୀର ନୂତନ ସଦସ୍ୟ ଭାବେ ଯୋଗ ଦେଇଥିବାବେଳେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଶରତ ସୁବୁଦ୍ଧି ସଦସ୍ୟଙ୍କ ଉପସ୍ଥାନ ସମ୍ବନ୍ଧରେ ସୂଚନା ଦେଇଥିଲେ । ଅରୁଣା ଦୋରା ସଭା ସଂଚାଳନ କରିଥିବାବେଳେ ରୋଟାରିଆନ୍ ସୁନୀଲ କୁମାର ପଟ୍ଟନାୟକ ଓ ପ୍ରଶ୍ନ କୁମାର ପଣ୍ଡା ସଭାକାର୍ଯ୍ୟର ସକ୍ରିୟ ସହଯୋଗକ୍ରମେ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ ।