ବେଆଇନ୍ ଶିକ୍ଷକ ବଦଳିକୁ ନେଇ ତେଜୁଛି ଅସନ୍ତୋଷ
ଖଇରା: ଖଇରା ବ୍ଲକରେ ବେଆଇନ ଭାବେ କରାଯାଇଥିବା ଶିକ୍ଷକ ବଦଳିକୁ ନେଇ ସମଗ୍ର ବ୍ଲକରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏପଟେ ଖଇରା ବ୍ଲକରେ ଶତାଧିକ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ୫ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୪ଜଣଙ୍କୁ ନିର୍ବାଚନ ମଣ୍ଡଳୀ ବାହାରକୁ ଓ ଜଣକୁ ବ୍ଲକ ବାହାରକୁ ବଦଳି କରାଯିବାରେ ଶିକ୍ଷାବିଭାଗର ସ୍ୱଚ୍ଛତାକୁ ନେଇ ଅଙ୍ଗୁଳି ଉଠିଛି । ଏଭଳି ବଦଳି ପ୍ରତିବାଦରେ ବରପଦା ୟୁପି ସ୍କୁଲର ଅଭିଭାବକ ଖଇରା ବିଇଓଙ୍କୁ ବଦଳି ବାତିଲ କିମ୍ବା ଅନ୍ୟଜଣେ ଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟେ ୧୮ତାରିଖରେ ଜିଲ୍ଲାସ୍ତରୀୟ ବଦଳି କମିଟି ଦ୍ୱାରା ହୋଇଥିବା ଏହି ବଦଳି ତାଲିକା ଉପରେ ବଦଳି କମିଟି ପୁନଃବିଚାର ନ କଲେ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିବ ବୋଲି ଶିକ୍ଷକ ପଦବୀ ଖାଲି ପଡିଥିବା ବିଦ୍ୟାଳୟ ସମୂହର ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ଏଭଳି ଅସନ୍ତୋଷ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବା ଆଶଙ୍କା ଦେଖାଦେଲାଣି ।
ଚଳିତ ଶିକ୍ଷାବର୍ଷରେ ସର୍ବାଧିକ ୧୫ଜଣ ଶିକ୍ଷକଙ୍କୁ ରୋସ୍ନାଲାଇଜେସନ ଭିତ୍ତିରେ ସାଂସଦ ଓ ବିଧାୟକଙ୍କ ସୁପାରିସରେ ବଦଳି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବଦଳି ହୋଇଥିବା ଶିକ୍ଷକମାନେ ହେଲେ ଗେଙ୍ଗୁଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଦକ୍ଷିଣରାୟ, ବରପଦା ୟୁଜିୟୁପି ସ୍କୁଲର ସହକାରୀ ଶିକ୍ଷକ ରଞ୍ଜନ ମହଲା, ସାରଡାଙ୍ଗ ଜିଏନ୍ ନୋଡଲ ସ୍କୁଲର ଶିକ୍ଷୟିତ୍ରୀ ରଶ୍ମିତା ଜେନା, ବାଉଁଶଗଡିଆ ୟୁପି ସ୍କୁଲର ଶିକ୍ଷୟିତ୍ରୀ ରାଜଶ୍ରୀ ଖିଲାର ଓ ବେଗୁନିଆ ୟୁପି ସ୍କୁଲର ଶିକ୍ଷକ ଗଜେନ୍ଦ୍ର ପ୍ରସାଦ ମଲ୍ଲିକ । ସନ୍ତୋଷଙ୍କୁ ଭୋଗରାଇ, ରାଜଶ୍ରୀ ଓ ରଞ୍ଜନଙ୍କୁ ବାଲିଆପାଳ, ରଶ୍ମିତାଙ୍କୁ ସଦର ଏବଂ ଗଜେନ୍ଦ୍ରଙ୍କୁ ସିମୁଳିଆ ବଦଳି କରାଯାଇଛି । ହେଲେ ଅନେକ ସର୍ତ୍ତକୁ ଉଲ୍ଲଂଘନ କରି ଶିକ୍ଷକଙ୍କୁ ବଦଳି କରାଯାଇଥିବା ଅଭିଯୋଗ ହୋଇଛି । ଏମାନଙ୍କ ମଧ୍ୟରୁ ରଞ୍ଜନ ଓ ସନ୍ତୋଷ କୌଣସି ଆବେଦନ କରିନଥିବା ବେଳେ ଏମାନଙ୍କୁ ପନିସମେଣ୍ଟ ବଦଳି କରାଯାଇଥିବାରୁ ଏହି ୨ଜଣ ଉଚ୍ଚ ଅଦାଲତ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଗେଙ୍ଗୁଟିଆର ଲେବଲ ୪ ଶିକ୍ଷକ ସନ୍ତୋଷ ଦକ୍ଷିଣରାୟଙ୍କୁ ଜାନୁଆରୀ ମାସରେ ପାଣିସାଉଁଳିକୁ ବଦଳି ପରେ ପୁନର୍ବାର ଏବେ ରାଜନୈତିକ ଆକ୍ରୋଶ ରଖି ଭୋଗରାଇ ବଦଳି କରାଯାଇଥିବା କୁହାଯାଉଛି । ଅନ୍ୟ ଏକ ତଥ୍ୟ ହିସାବକୁ ନିଆଗଲେ ଖଇରା ବ୍ଲକର ୧୯୪ପ୍ରାଥମିକ ସ୍କୁଲରେ ୧୨୬ ଶିକ୍ଷକ ପଦବୀ ଖାଲି ପଡିଛି । ଏଭଳି ବଦଳି ସବୁ ନିୟମ ଉଲ୍ଲଂଘନ କରୁଥିବାବେଳେ ରାଜନୈତିକ ଆକ୍ରୋଶ ରଖି ଏଭଳି ବଦଳି କରାଯାଇଥିବା ଉଭୟ ସନ୍ତୋଷ ଓ ରଞ୍ଜନ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରିଣୀ ପ୍ରାଚୀତନୟା ଗିରିଙ୍କୁ ଯୋଗାଯୋଗ କରାଯିବାରେ ବିଧାୟକ ଓ ସାଂସଦଙ୍କ ସୁପାରିଶରେ କରାଯାଇଛି । ଏଣୁ ତାଙ୍କର କିଛି କରିବାର ନାହିଁ ବୋଲି କହିଛନ୍ତି ।