ବରଯାତ୍ରୀଙ୍କ ଆକ୍ରମଣ, କନ୍ୟା ଦାଦା ଗୁରୁତର
ସାଲେପୁର : ବିବାହର ପ୍ରୀତିଭୋଜନ ଚାଲିଥିଲାବେଳେ ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ଦାଦା ଗୁରୁତର ଆହତ ହେଉଥିବା ଜଣାଯାଇଛି । ଏହି ଘଟଣାକୁ ନେଇ କିଛି ସମୟ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିବାବେଳେ ବିବାହର ହାତଗଣ୍ଠି ପଡ଼ିବା କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ଫଳରେ ଶେଷରେ ଆପୋଷ ସମାଧାନ ହୋଇ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ସାଲେପୁର କଳାଗ୍ନୀ ମନ୍ଦିର ପରିସରରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହ ପୂର୍ବରୁ ବରଯାତ୍ରୀମାନେ ଏକ ଶୋଭାଯାତ୍ରାରେ ବରକୁ ସାଙ୍ଗରେ ଧରି ମନ୍ଦିର ପରିସରରେ ହୋଇଥିବା ବିବାହ ମଣ୍ଡପରେ ପହଞ୍ଚôଥିଲେ । କିଛି ସମୟ ସେଠାରେ ବନ୍ଧୁ ଚର୍ଚ୍ଚା ହେବାପରେ ବରଯାତ୍ରୀମାନେ ଭୋଜନ କରିବାକୁ ଯାଇଥିବାବେଳେ ଭୋଜନ କାର୍ଯ୍ୟ ଆରମ୍ଭ ହେବାକ୍ଷଣି କୌଣସି କାରଣରୁ ଉଭୟ ବରଯାତ୍ରୀ ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବରଯାତ୍ରୀମାନେ କନ୍ୟାପକ୍ଷଙ୍କ ଉପରେ ଆକ୍ରମଣ କରିବାରୁ କନ୍ୟାର ଦାଦା ଘଟଣା ସ୍ଥଳରେ ପହଞ୍ଚô ବୁଝାସୁଝା କରିବାକୁ ଉଦ୍ୟମ କରୁଥିବାବେଳେ ବରଯାତ୍ରୀଙ୍କ ଆକ୍ରମଣରେ କୋଲଣପୁର ଗ୍ରାମର କନ୍ୟାର ଦାଦା ଭୀମସେନ ସାମଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ପଠାଇ ଦିଆଯାଇଛି । ଅପର ପକ୍ଷରେ ଏହି ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚô ଅଧିକ ଗଣ୍ଡଗୋଳ ଆଶଙ୍କା କରି ମୁର୍କୁଣ୍ଡି ଗ୍ରାମର ବର ହରିଶ ବେହେରାଙ୍କ ସଂଗରେ ଆସିଥିବା ବରଯାତ୍ରୀଙ୍କ ମଧ୍ୟରୁ ୪ଜଣକୁ ଥାନାକୁ ନେଇଆସିଥିଲା । ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ବର ଓ କନ୍ୟାପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇ ଆପୋଷ ସମାଧାନ ହେଲାପରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା । ଏହି ଘଟଣା ଏବେ ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।