ବାରହା ଉପଦ୍ରବ; ଅମଳ ଆଗରୁ ଉଜାଡ଼ୁଛନ୍ତି ଫସଲ : ଚିନ୍ତାରେ ଚାଷୀ, ଭାଙ୍ଗୁନି ବନ ବିଭାଗର ନିଦ
କବାଟବନ୍ଧ : ଚାଷ କରି ବର୍ଷକର ଦାନା ଯୋଗାଡ଼ କରିବାକୁ ଚାଷୀ ଶ୍ରମଠାରୁ ସବଳ ଲଗାଇ ଦେଇଥାଏ । ଭଲ ବର୍ଷା ହେଉ କି ନାହିଁ ଚାଷକାର୍ଯ୍ୟରୁ କିନ୍ତୁ ମୁହଁ ପେରାଏ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲ ଫଳାଇବାକୁ ମଧ୍ୟ ଚାଷୀ ଲାଗିପଡ଼ିଥାଏ । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଭଲ ଫସଲ ଅମଳ କରିବା ଲକ୍ଷ୍ୟରେ ଥିବା ବେଳେ ବନ୍ୟପ୍ରାଣୀ ବାରହା ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । କଟକ ବନଖଣ୍ଡ ବୈରୀ ଡାଳିଯୋଡ଼ା ବନାଞ୍ଚଳ ଗଡ଼ମଧୁପୁର ଫରେଷ୍ଟ ସେକ୍ସନ ବଳରାମପୁର ସଂରକ୍ଷିତ ଜଙ୍ଗଲରୁ ଶତାଧିକ ବାରହା ଦଳ ଧାନ କ୍ଷେତରେ ପସି ଚାଷ ନଷ୍ଟ କରିବାରେ ଲାଗିଛନ୍ତି । ଦିନ କେଇଟା ପରେ ଅମଳ ହୋଇଥାନ୍ତା । ଫସଲ ଭଲ ହୋଇଥିବାରୁ ଖୁସିଥିଲେ ଚାଷୀ । ଚାଷୀର ସବୁ ସ୍ୱପ୍ନ ଏବେ ଭାଙ୍ଗିବାକୁ ବସିଛି । ଚାଷୀର ନିଦ ହଜେଇ ଦେଇଛି ଜଙ୍ଗଲୀ ଜୀବଜନ୍ତୁ । ଅନେକ ବାରହା ଏବଂ ସେମାନଙ୍କର ଛୁଆ କ୍ଷେତରେ ପସି ଫସଲ ଖାଇବା ସହିତ ଗଛକୁ ଦଳି ମକଚି ମାଟିରେ ମିଶାଇ ଦେଉଛନ୍ତି । ଚାଷୀ ଧାର କରଜ ଏବଂ ଋଣକରୀ କରି ଚାଷ କରିଥିବା ସ୍ଥଳେ ବାରହା ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଚାଷୀମାନେ ବାରହା ଦାଉରୁ ରକ୍ଷା ପାଇବା ନିମିତ ରାତିରେ କ୍ଷେତରେ ଜଗି ରହୁଥିଲେ ମଧ୍ୟ ଏହି ବନ୍ୟଜନ୍ତୁ ଲୋକେ ଜଗିରହୁଥିବା ଜାଣିପାରି ସେ ସ୍ଥାନକୁ ନଯାଇ ପାହାଡ଼ ପାଦଦେଶରେ ଚାଷଜମିରେ ପସି ଚାଷ ନଷ୍ଟ କରିଦେଉଛନ୍ତି । ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଠିଆ କରିବା ନିମିତ ରାତ୍ରୀ ପରିଶ୍ରମ କରି ଜଗିରହୁଥିଲେ ମଧ୍ୟ ବନ୍ୟଜନ୍ତୁ ନଷ୍ଟ କରୁଥିବାରୁ ଆଗାମୀ ଦିନରେ ଫସଲ ଅମଳ କରିବା ସ୍ୱପ୍ନବୋଲି ଚାଷୀ ମତ ପ୍ରକାଶ ପାଇଛି । ହେଲେ ବନ ବିଭାଗର ନିଦ ଭାଙ୍ଗୁନି । ଧର୍ମଶାଳା ତହସିଲ ଅଧିନ ତାଳଜଙ୍ଗ, ବିଛାଖଣ୍ଡି, ବଳରାମପୁର, ରେଖିଦେଇପୁର, ଚକ୍ରଧରପୁର, ଅଂଜିରା, କୁସୁନପୁର ମୌଜାର ଚାଷୀମାନଙ୍କର ହେକ୍ଟର ହେକ୍ଟର ଚାଷ ଜମି ରହିଛି । ଅନେକ ଚାଷୀ ଧାନ ଚାଷ ଠାରୁ ଆରମ୍ଭ କରି ସାରୁ, ମାଟିଆଳୁ, ଓଲୁଅ ଭଳି ବିଭିନ୍ନ ଚାଷ କରିଛନ୍ତି । ଉକ୍ତ ଜମିରେ ଚାଷୀ ଚାଷ କରି ସେମାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ଗତ କିଛି ଦିନ ହେବ ଏହି ମୌଜାରେ ବାରହା ଉପଦ୍ରବ ଏତେ ମାତ୍ରାରେ ବଢିଯାଇଛି ଯେ ତାହା ନକହିବା ଭଲ ବୋଲି ଚାଷୀ କୁହନ୍ତି । ତୁରନ୍ତ ବନବିଭାଗ ବାରହା ଉପଦ୍ରବରୁ ଚାଷ ଜମି ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନେବାକୁ ଚାଷୀ ଦାବି କରିଛନ୍ତି ।