ବସନ୍ତ ଉତ୍ସବର ପ୍ରସ୍ତୁତି ବୈଠକ

 ଯାଜପୁର ଟାଉନ:  ବିରଜା କଲ୍ଚରାଲ୍ ଏକାଡେମୀ ପକ୍ଷରୁ ଆୟୋଜିତ ଯାଜପୁରରେ ବସନ୍ତ ଉତ୍ସବ ଆସନ୍ତା ମାର୍ଚ୍ଚ ମାସରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଉତ୍ସବରେ ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠ କବି, କବୟିତ୍ରୀ, କୋବିଦ, ସୃଷ୍ଟି ଧର୍ମରେ ବିଶ୍ୱାସୀ ପ୍ରବୀଣ ଓ ନାବଗତ ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ନାଟ୍ୟକାର, ସ୍ତମ୍ଭକାର, ଚିତ୍ରକର, ସଂଗୀତ ଓ ନୃତ୍ୟଶିଳ୍ପୀ ଯୋଗଦେବେ । ଯାଜପୁର ଜିଲା ସମେତ ପଡୋଶୀ ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲାର ବୌଦ୍ଧିକ ଓ ସାଂସ୍କୃତିକ ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡ଼ିବା ପାଇଁ ଏହି ପବିତ୍ର ମାଟିର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଲେଖକ ଓ ସଜନାଶୀଳ ସ୍ରଷ୍ଟାମାନଙ୍କର ସୁମାଗମ ହୋଇପାରିବ । ଏହି ଅବସରରେ ବିଭିନ୍ନ ପୁସ୍ତକ ଲୋକାର୍ପଣ, ଆଲୋଚନାଚକ୍ର, କବି ସମ୍ମିଳନୀ ଓ କବିତା ପାଠୋତ୍ସବ ସହିତ ଓଡ଼ିଶାର କଳା, ସଂସ୍କୃତି, ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେକନୀୟ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥିପାଇଁ ଯାଜପୁର ସହର ବଡ଼ବଜାରସ୍ଥିତ ବିରଜା କଲ୍ଚରାଲ୍ ଏକାଡେମୀର ସଭାଗୃହଠାରେ ଆଜି ମଧ୍ୟାହ୍ନରେ ପ୍ରସ୍ତୁତି କମିଟିର ବୈଠକ ଏକାଡେମୀର ସଭାପତି ସାହିତି୍ୟକ ଘନ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକାଡେମୀର ପ୍ରତିଷ୍ଠାତା ଗୁରୁ ଆଶିଷ କୁମାର ଦାସ, ଉପସଭାପତି ପ୍ରିୟଦର୍ଶିନୀ ସାମନ୍ତ, ସେକ୍ ଅବଦୁଲ ସାଜିଦ୍, ସାଧାରଣ ସଂପାଦକ ସସ୍ମିତା ପଣ୍ଡା, ଉପଦେଷ୍ଟା ସୁରେନ୍ଦ୍ର ରାୟ, ଶିକ୍ଷାବିତ୍ ଧରଣୀଧର ମହାପାତ୍ର, ସାଂସ୍କୃତିକ ସଂପାଦକ ପ୍ରତିମା ମିଶ୍ର, ସହ ସଂପାଦକ ଡ. ସୁଦର୍ଶନ ବେହେରା, କାମାକ୍ଷା ପ୍ରସାଦ ନନ୍ଦ, ଚିତ୍ରଶିଳ୍ପୀ ଗୁରୁପ୍ରସାଦ ବେହେରା, ନୃତଶିଳ୍ପୀ ରୂପା ପାଲ ପ୍ରମୁଖ ଯୋଗଦେଇ ଏହି ଉତ୍ସବର ସଫଳତା ପାଇଁ ବଜ୍ରଶପଥ ନେଇଥିଲେ । ଉତ୍ସବକୁ ଅଧିକ ବର୍ଣ୍ଣାଢ଼୍ୟ ଓ ମନୋଜ୍ଞ କରିବା ପାଇଁ ଆଗାମୀ ଫେବୃୟାରୀ ୨୩ ତାରିଖରେ ଅନୁଷ୍ଠିତ ହେବାକୁ  ଥିବା ଅଧିବେଶନରେ ଏକ୧୦ଜଣିଆ ଉପଦେଷ୍ଟା କମିଟି ଓ ଏକ ଅଭ୍ୟର୍ଥନା କମିଟି ଗଠନ କରାଯିବ ବୋଲି ଏକାଡେମିର ସଭାପତି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି ।