ବର୍ଷାରେ ଭାଙ୍ଗିଗଲା ଘର : ମୁଣ୍ଡ ଗୁଞ୍ଜିବାକୁ ପରିବାର ହୀନସ୍ତା

 ରାଜନଗର : ଗାଁରେ ରହିବ ନାହିଁ କଚ୍ଚାଘର । ପ୍ରତ୍ୟେକ ଗରିବ ପରିବାରକୁ ମିଳିବ ପକ୍କାଘର । ସରକାରଙ୍କ ଏହି ଘୋଷଣା ଯେମିତି ଘୋଷଣାରେ ରହିଯାଇଛି । ଆଜି ବି ସରକାରୀ ସୁବିଧାରୁ ବଞ୍ଚିତ ଅଭାବୀ ମଣିଷଟିର ଘର ବର୍ଷାରେ ଉଜୁଡି ଯାଇଛି । ମୁଣ୍ଡ ଗୁଂଜିବାକୁ ଜାଗାଟିଏ ନାହିଁ । ଜମିବାଡି ବୋଲି କିଛି ନାହିଁ । ମୂଲ ଲାଗିଲେ ପରିବାରର ଚୂଲି ଜଳେ । ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା ରାଜନେତା ସମସ୍ତଙ୍କୁ ଘର ଖଣ୍ଡିଏ ପାଇଁ ଗୁହାରୀ କରିଛନ୍ତି । ବଖରାଏ ଘର ମିଳିଲେ ଅଭାବୀ ପରିବାରର ଚାରିଜଣ ମଣିଷ ଖରା ବର୍ଷାରେ ମୁଣ୍ଡ ଗୁଜିଂବେ । ଏହି ଅଭାବୀ ମଣିଷର ଦୁଃଖ ତ କେହି ଶୁଣିଲେ ନାହିଁ, ଶେଷରେ ଲଘୁଚାପ ଜନିତ ବର୍ଷା ତାଙ୍କ ପରିବାରକୁ ବେଘର କରିଦେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ କୁଶାଇଲୋ ଗ୍ରାମରେ । ଏହି ଗ୍ରାମର ପ୍ରଦୀପକୁମାର ପ୍ରଧାନ ଜଣେ ଅଭାବୀ ମଣିଷ । ମୂଲ ଲାଗି ସ୍ତ୍ରୀ, ପୁଅ ଓ ଝିଅଙ୍କୁ ପ୍ରତିପୋଷଣ କରି ଆସୁଛନ୍ତି । ତାଙ୍କର ଏହି ଦୂରାବସ୍ଥା ସଂପର୍କରେ ପଞ୍ଚାୟତ, ବ୍ଲକ ପ୍ରଶାସନକୁ ବାରମ୍ବାର ଗୁହାରୀ କଲା ପରେ ସେଥିରେ ସଫଳ ନହେବାରୁ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗୁହାରୀ କରିଥିଲେ । ଦୁଇଥର ଜନଶୁଣାଣି ଶିବିରରେ ଘର ଖଣ୍ଡେ ପାଇଁ ଆବେଦନ କରିବା ପରେ ଫାଇଲ ଭିତରେ ତାଙ୍କ ଆବେଦନପତ୍ର ବନ୍ଧା ପଡିଯାଇଛି । ପ୍ରଶାସନ ଓ ରାଜନେତାଙ୍କ ଉପରୁ ଭରଷା ତୁଟିଗଲା ପରେ ସେ ଭାଗ୍ୟକୁ ଆଦରି ପଡି ରହିଥିଲେ । ବର୍ଷା ଦାଉ ସାଧିଲା । ଘରକୁ ମାଟିରେ ଶୁଆଇ ଦେଇଛି । ଖବରପାଇ ସ୍ଥାନୀୟ ସରପଞ୍ଚ ଗୋଲେଖ ଚନ୍ଦ୍ର ସ୍ୱାଇଁ ଓ ରାଜସ୍ୱ ନିରୀକ୍ଷକ ସନ୍ଦୀପ ମାଡାଙ୍ଗୀ ପହଞ୍ଚି ତଦନ୍ତ କରିବା ସହ ପଲିଥିନ ଯୋଗାଇ ଦେଇଛନ୍ତି । କେବେ ଅଭାବୀ ମଣିଷ ପ୍ରଦୀପଙ୍କୁ ଘରଖଣ୍ଡେ ମିଳିବ ? ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ପରିବାର ସହିତ ମୁଣ୍ଡ ଗୁଂଜିବେ ଦେଖିବାକୁ ବାକି ରହିଲା ।