ବନ୍ୟା ପ୍ରଭାବ : ପନିପରିବା ଚାଷ ଓ ଧାନତଳି ନଷ୍ଟ

 ଭଣ୍ଡାରିପୋଖରୀ : ବୈତରଣୀ ନଦୀରୁ ବନ୍ୟାଜଳ କ୍ରମେ ଅପସରି ଯାଇଛି । ମାତ୍ର କଣ୍ଟିଘାଇ ଦ୍ୱାରା ବନ୍ୟାଜଳ ପ୍ଳାବିତ ଚାଷଜମିରେ ପାଣି ଜମି ରହିଛି । ଚଳିତ ଖରିଫ ଧାନଚାଷ ପାଇଁ ପ୍ରସ୍ତୁତ ହୋଇଥିବା ତଳିଧାନ ବନ୍ୟା ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ରୁଆପୋତା ପାଇଁ ଉତୁରି ଆସିଥିବା ତଳିଧାନ କ୍ରମଶଃ ପଚିବାକୁ ଆରମ୍ଭ କରିଛି । ପୁଣିଥରେ ତଳିପକାଇବା ସମୟ ସାପେକ୍ଷ ଓ ଚାଷକାର୍ଯ୍ୟ ବିଳମ୍ବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ନିଜ ଚାଷ ଜମିରେ ପ୍ରସ୍ତୁତ ତଳି ଅଭାବରେ ଋଆପୋତା ପାଇଁ ତଳି ଯୋଗାଡ କରିବା ଚାଷୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ନଦୀର କଣ୍ଟିଘାଇ ଦେଇ କେବଳ ବନ୍ୟାଜଳ ୬ଫୁଟ ଉଚ୍ଚତାରେ ଜନବସତି ଆଡକୁ ପ୍ରବେଶ କରି ବ୍ଲକର ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ ଆଦି ପଞ୍ଚାୟତ ଧାନତଳିକୁ କ୍ଷତିଗ୍ରସ୍ତ କରିଛି । ଏହିସବୁ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ସେହିପରି ନଦୀକୂଳିଆ ହେକ୍ଟର ହେକ୍ଟର ଚାଷଜମିରେ ହୋଇଥିବା ପନିପରିବା ଚାଷ ମଧ୍ୟ ଅନୁରୂପ ଭାବେ କ୍ଷତିଗ୍ରସ୍ତ ହୋଇଛି । ଚତୁର୍ଭୁଜପୁର, ବିରୋଳି, ମୁଢ଼ାପଦା, ମଣିନାଥପୁର, ଷୋଳମପୁର, ବିନ୍ଧାଣ, ବରାହନୂଆପଡା ଆଦି ଗ୍ରାମର ବିପୁଳ ପନିପରିବା ଚାଷ ଉଜୁଡି ଯାଇଛି । କୃଷି ବିଭାଗ ପକ୍ଷରୁ ଧାନତଳି କ୍ଷୟକ୍ଷତି ଅନୁଧ୍ୟାନ କରାଯିବା ସହ ଚାଷୀମାନଙ୍କୁ ସହାୟତା କରିବାକୁ ଦାବି ହୋଇଛି । ସେହିପରି ଉଦ୍ୟାନକୃଷି ବିଭାଗ ପକ୍ଷରୁ ପନିପରିବା ଚାଷ କ୍ଷୟକ୍ଷତି ଅନୁଧ୍ୟାନ କରି ସହାୟତା ଦେବାକୁ ମଧ୍ୟ ଦାବି ହୋଇଛି ।