ମଞ୍ଜୁରୀରୋଡ ବଜାରରେ ୬୧ ବର୍ଷର କାଳୀପୂଜା

ମଞ୍ଜୁରୀରୋଡ ବଜାରରେ ୬୧ ବର୍ଷର କାଳୀପୂଜା

ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ବଜାରରେ ଚଳିତ ବର୍ଷ ୬୧ତମ ମା’କାଳୀଙ୍କ ପୂଜା ସୋମବାର ଠାରୁ ପାରମ୍ପରିକ ଉତ୍ସାହ ଉଦ୍ଦୀପନା ସହ ଆରମ୍ଭ ହୋଇଛି । କର୍ତ୍ତା ମହେଶ୍ୱର ବେହେରା ଜଳଘଟ ଉତ୍ତୋଳନ କରିଥିଲେ । ପୂଜକ ରଞ୍ଜନ କୁମାର ପତି ଓ ତ୍ରିଲୋଚନ ପଣ୍ଡା ପୂଜାକାର୍ଯ୍ୟ ତୁଲାଉଛନ୍ତି । ସଚେତନତା ଧର୍ମୀ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରାଯାଇଛି । ସ୍ଥାନୀୟ ବଜାର କମିଟି ପକ୍ଷରୁ ସଭାପତି ସୁବାସ ଦାସ ଅଧିକାରୀ, ସମ୍ପାଦକ ତପ୍ତସୂର୍ଯ୍ୟ ବିଶ୍ୱାଳ, ସଦସ୍ୟମାନେ ପୂଜାକାର୍ଯ୍ୟ ତଦାରଖ କରୁଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଲୋକ ସଜ୍ଜା ଓ ମନୋହରି ଦୋକାନ ଦେଖଣାହାରୀଙ୍କ ଆକର୍ଷଣ ପାଲଟିଛି । 

     ଏହାଛଡା ମଞ୍ଜୁରୀଠାରେ ମା’ ରକ୍ଷାକାଳୀଙ୍କ ମନ୍ଦିରରେ ମଧ୍ୟ ପୂଜା କରାଯାଇଛି । ନାଆମୀରେ ମାର୍କଣ୍ଡେୟ ଖଡ଼ିରତ୍ନଙ୍କ ଦ୍ୱାରା ପ୍ରତିଷ୍ଠିତ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ଯଥାରୀତି ମା’କାଳୀଙ୍କ ପୂଜାର୍ଚ୍ଚନା କରାଯାଇଛି । ବିରଜା ପଞ୍ଜିକାର ଅନ୍ୟତମ ଗଣକ ଭାସ୍କରଚନ୍ଦ୍ର ଖଡ଼ିରତ୍ନ, ଶ୍ରୀବତ୍ସ ଖଡ଼ିରତ୍ନ ଓ ଶ୍ରୀକାନ୍ତ ଖଡ଼ିରତ୍ନଙ୍କ ସହ ଗ୍ରାମବାସୀମାନେ ପୂଜା ପାଳନରେ ସହଯୋଗ କରୁଛନ୍ତି । କାଳୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।