ବସ୍ ମାଲିକ ସଂଘ ନିର୍ବାଚନ, ବୈଠକ ଡାକିଲେ ଉପଜିଲାପାଳ
ଚମ୍ପୁଆ : ଚମ୍ପୁଆ ଉପଖଣ୍ଡ ଘରୋଇ ବସ୍ ମାଲିକ ସଂଘର ନିର୍ବାଚନକୁ ନେଇ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ଏକ ବୈଠକ ଉପଜିଲାପାଳ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲାପାଳ ଉମାକାନ୍ତ ପରିଡା, ଡେପୁଟି କଲେକ୍ଟର ଦେବଦତ ତ୍ରିପାଠୀ ଓ ସହକାରୀ ଜିଲାପାଳ ଫଲରାଇ ବେଶ୍ରା ଯୋଗଦେଇ ଉଭୟ ପକ୍ଷଙ୍କ ଅଭିଯୋଗକୁ ଶୁଣିଥିଲେ । ଏହି ବସ୍ ମାଲିକ ସଂଘ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ଉଭୟ ଗୋଷ୍ଠିର ୫-୫ଜଣ ସଦସ୍ୟଙ୍କର ମତାମତ ଗ୍ରହଣ କରିଥିଲେ । ଏଥି ସହିତ ଉପଖଣ୍ଡ ଘରୋଇ ବସ୍ ମାଲିକ ସଂଘର ବିଭିନ୍ନ ନଥିପତ୍ରକୁ ତର୍ଜମା କରିବା ସହିତ କେତେକ ତୃଟିଥିବା ଜାଣିବାକୁ ପାଇଥିଲେ । ଶେଷରେ ସମସ୍ୟାର ସମାଧାନ ପାଇଁ ପ୍ରଥମେ ସଂଘର ବାଇ-ଲ କୁ ସଂଶଧନ କରିବା ଏବଂ ସଂଘର ସାଧାରଣ ବୈଠକ ଡକାଇ ନିଷ୍ପତ୍ତିର ଏକକିତା ନକଲ ଉପଜିଲାପାଳଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ପକ୍ଷ ଏ ନେଇ ସହମତି ପ୍ରକାଶ କରିବା ପରେ ଉପଜିଲାପାଳଙ୍କ ପରିବର୍ତ୍ତି ନିର୍ଦ୍ଦେଶନାମା ଅନୁସାରେ ନିର୍ବାଚନ କରାଯିବ ବୋଲି କହିଥିଲେ । ପ୍ରାୟ ଏକମାସ ଧରି ଏହି ନିର୍ବାଚନକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ଉଭୟ ପକ୍ଷ ଜିଲାପାଳ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲାପାଳ ଏବଂ ଉପ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଏ ନେଇ ଉପଜିଲାପାଳ ଶ୍ରୀ ପରିଡାଙ୍କୁ ପଚାରିବାରୁ କହିଛନ୍ତି ଯେ ଉଭୟ ଗୋଷ୍ଠିକୁ ଡକାଇ, ତଥ୍ୟ, ଦସ୍ତାବିଜ ଏବଂ ମତାମତ ଗ୍ରହଣ କରାଯିବା ସହ ବାଇ-ଲ ସଂଶଧନ ଓ ସାଧାରଣ ପରିଷଦ ବୈଠକ କରାଯିବା ପରେ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଯାଇ ଅନୁମତି ପ୍ରଦାନ କରାଯିବ ବୋଲି କହିଥିଲେ ।