ପାର୍କିଂ ନ ଥାଇ ମାର୍କେଟ କଂପ୍ଲେକ୍ସ, ହୋଟେଲ ସଙ୍କୁଚିତ ହେଉଛି ରାସ୍ତା,କଲବଲ ହେଉଛନ୍ତି ସହରବାସୀ 

 କେନ୍ଦୁଝର: କେନ୍ଦୁଝର ସହରରେ ବେଆଇନ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ଯୋଗୁଁ ନିୟମିତ ରାସ୍ତା ଜାମ ରହି ସାଧାରଣ ଜନତା କଲବଲ ହେଉଛନ୍ତି । ଗାନ୍ଧୀ ଛକ ଠାରୁ ମଣ୍ଡୁଆ ଏବଂ ଲାବଣ୍ୟ ଛକ ଠାରୁ ଓଡିଶା ଖଣି ଯାନ୍ତ୍ରୀକ ବିଦ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏହି ସମସ୍ୟା ଦୈନନ୍ଦିନ ଦେଖିବାକୁ ମିଳୁଛି । କେନ୍ଦୁଝର ସହରରେ ଗଢି ଉଠିଥିବା ହୋଟେଲ, ଲଜ୍, ବ୍ୟାଙ୍କ, ମାର୍କେଟ କମ୍ପ୍ଲେକ୍ସ, ସପିଂ ମଲ୍ ଆଦି ବ୍ୟବସାୟ ପ୍ରତିଷ୍ଠାନ ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଛି । ବିନା ପାର୍କିଂ ସ୍ଥାନ ନ ରଖି ଏଭଳି ବ୍ୟବସାୟ ପ୍ରତିଷ୍ଠାନ ଚାଲୁଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ରୂପ ଧାରଣ କରିଛି । ପାର୍କିଂସ୍ଥଳ ନଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ଏବଂ ହୋଟେଲକୁ ଆସୁଥିବା ଲୋକ ରାସ୍ତାରେ କାର ଏବଂ ବାଇକ ରଖୁଛନ୍ତି । ରାସ୍ତାରେ ଲମ୍ବା ଲାଇନ ହୋଇ ବାଇକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରହୁଥିବାରୁ ଗାଡି ଚଳାଚଳରେ ସମସ୍ୟା ଉପୁଜୁଛି । ସହରରେ ଏବେ ଏକାଧିକ ମହଲା ଘର ନିର୍ମାଣ ହୋଇ ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର ହେଉଛି । ସେସବୁ କୋଠା ଘରର ନିଜସ୍ୱ ପାର୍କିଂ ନଥାଇ ଚାଲିଛି । କେତେକ କୋଠାର ବିଲ୍ଡିଂ ପ୍ଲାନ ଅନୁମୋଦନ ବେଳେ କାଗଜ କଲମରେ ପାର୍କିଂସ୍ଥଳ ରହିଥିବାବେଳେ ବାସ୍ତବରେ ସେହି ସ୍ଥାନ ଭଡାରେ ଲାଗିଛି । ଫଳରେ ସାଧାରଣ ଜନତା ଅଯଥା ଟ୍ରାଫିକ ସମସ୍ୟାରେ ଦୈନନ୍ଦିନ ହଇରାଣ ହେଉଛନ୍ତି । ବିଲ୍ଡିଂ ପ୍ଲାନ ଅନୁମୋଦନ ପରେ ପୌରପାଳିକା ପକ୍ଷରୁ ଏହାର ଯାଂଚ ହେଉନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । କେତେକ ଲୋକ ଘରୋଇ ଉଦେ୍ଦଶ୍ୟରେ ପ୍ଲାନ ମଞ୍ଜୁର କରି ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର କରୁଛନ୍ତି । ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଅନୁମୋଦିତ ପ୍ଲାନ ଉଲ୍ଲଙ୍ଘନ କରି କୋଠା ନିର୍ମାଣ କରୁଥିଲେ ହେ ଏହାର ଯାଂଚ ହେଉନଥିବାରୁ କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଯେଉଁଥିପାଇଁ ପାଇଁ ଆମ୍ଭୁଲାନ୍ସ, ସ୍କୁଲ ବସ୍, ଦମକଳ ଆଦି ଜରୁରୀକାଳୀନ ଗାଡି ସହର ମଧ୍ୟ ଦେଇ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିବାବେଳେ ଅନେକ ସମୟରେ ଜାମରେ ଫସି ରହୁଛି । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝର ସମ୍ମୁଖରେ ଥିବା ମାର୍କେଟ କଂପ୍ଲେକ୍ସରେ ଏକ ହୋଟେଲ ଆରମ୍ଭ ହେବାକୁ ଯାଉଛି । ପାର୍କିଂ ଏବଂ ଡ୍ରେନେଜ ବ୍ୟବସ୍ଥା ନ ଥାଇ ଆରମ୍ଭ ହେବାକୁ ଥିବା ଏହି ହୋଟେଲକୁ ପୌରପାଳିକା ଅନୁମତି ଦେଇଛି କି ନାହିଁ ତାହା ଯାଂଚ କରି ପଦକ୍ଷେପ ନେବାକୁ ଦାବୀ ହୋଇଛି । ସ୍କୁଲ ସମ୍ମୁଖରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ବିନା ପାର୍କିଂରେ ହୋଟେଲ ଆରମ୍ଭ ହେଲେ ମେଡିକାଲକୁ ସଂଯୋଗ କରୁଥିବା ଏହି ରାସ୍ତାରେ ନାହିଁନଥିବା ରାସ୍ତା ଜାମ ଏବଂ ଭୟଙ୍କର ଟ୍ରାଫିକ ସମସା ସୃଷ୍ଟି କରିବ । ପୋ÷ରପାଳିକା ପକ୍ଷରୁ ବେଆଇନ ଅଟ୍ଟାଳିକା ଏବଂ ପ୍ଲାନ ଉଲ୍ଲଙ୍ଗନ କରି ନିର୍ମାଣ ହୋଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି । ଏ ନେଇ କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକଙ୍କୁ ପଚାରିବାରୁ ଏହାର ଯାଂଚ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।