ବାଇକକୁ ପିଟିଲା ତେଲ ଟ୍ୟାଙ୍କର: ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ପୁଅ
ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ୫୫ନମ୍ବର ଜାତୀୟ ରାଜପଥର ଆନନ୍ଦ ନଗର ଠାରେ ଏକ ତେଲ ଟ୍ୟାଙ୍କର ଏକ ବାଇକକୁ ପଛପଟୁ ଧକ୍କା ଦେବା ଫଳରେ ପତ୍ନୀଙ୍କର ମୃତୁ୍ୟ ଘଟିଥିବାବେଳେ ସ୍ୱାମୀ ଓ ପୁଅ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ବାରିହାପୁର ଗ୍ରାମର ରଶ୍ମି ରଂଜନ ଖୁଣ୍ଟିଆ ନିଜ ପତ୍ନୀ ଲୁସି ଓ ଦେଢବର୍ଷର ଶିଶୁ ପୁତ୍ରକୁ ନେଇ ବାଇକ୍ରେ ଜଗା ଦର୍ଶନ ପାଇଁ ପୁରୀକୁ ବାହାରିଥିଲେ । ହେଲେ ସହର ଉପକଣ୍ଠ ଆନନ୍ଦନଗର ଠାରେ ପଛପଟୁ ଆସୁଥିବା ଓଡି୦୫ବିକେ୭୯୫୪ ନମ୍ବରର ଏକ ଟ୍ୟାଙ୍କର ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ସମସ୍ତେ ରାସ୍ତାକୁ ଛିଟିକି ପଡିଥିଲେ । ଏଥିରେ ଲୁସି ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଏକ ଅଟୋରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଲୁସିଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଟ୍ୟାଙ୍କରଟିକୁ ଜବତ କରିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ସେଠାରେ ବହୁ ସଂଖ୍ୟାରେ ଗାଡିମଟର ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ସଦର ତହସିଲଦାର ସ୍ୱାଧୀନ କୁମାର ବେହେରା, ଏସଡିପିଓ ରମେଶ ଦୋରା, ଟାଉନଥାନା ଅଧିକାରୀ ପ୍ରଭାତ ସାହୁ ପ୍ରମୁଖ ଆନେ୍ଦାଳନସ୍ଥଳରେ ପହଞ୍ଚô ବୁଝାସୁଝା କରିବା ପରେ ପ୍ରାୟ ସାଢେ ୯ ଟାରେ ରାସ୍ତାରୋକ ହଟିଥିଲା ଏବଂ ଗାଡିଚଳାଚଳ ସ୍ୱାଭିବିକ ହୋଇଥିଲା ।