ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି  ଖେଳ ପଡିଆ

ବ୍ରହ୍ମବରଦା : ଏହି ଥାନା ଅନ୍ତର୍ଗତ ହାଜିରହିମିଆଁ ହାଇସ୍କୁଲ ଖେଳ ପଡିଆ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ରାତି ହେଲେ ମଦ୍ୟପ ଉକ୍ତ ଖେଳ ପଡିଆରେ ନିୟମିତ ମଦ୍ୟପାନ କରୁଥିବା ବେଳେ ମଦ ବୋତଲ ଓ ଗ୍ଲାସ୍ ସବୁ ଏଣେ ତେଣେ ଫିଙ୍ଗୁ ଥିବାର ଦେଖିବାକୁ ମିଳିଛି । ଯାହାଦ୍ୱାରା ବିଦ୍ୟାଳୟର ଛାତ୍ରୀଛାତ୍ର ଖେଳ ଛୁଟି ସମୟରେ ପଡିଆ ମଧ୍ୟକୁ ପ୍ରବେଶ କରିବାକୁ ଭୟ କରୁଛନ୍ତି । ଭଙ୍ଗା ମଦ ବୋତଲ କାଚ ସବୁ ପଡିଆର ଚତୁଃପାର୍ଶ୍ୱରେ ପଡୁଥିବାରୁ କେତେକାଂଶରେ ପିଲାମାନେ ପଡ଼ିଆକୁ ଖେଳିବାକୁ ଆସୁନଥିବା ଅଭିଯୋଗ ହେଉଛି । ଉକ୍ତଖେଳ ପଡିଆଟିର ପାଚେରୀ ନଥିବାରୁ କିଛି ଅସାମାଜିକ ଯୁବକ ଏହା ମଧ୍ୟକୁ ଅବାଧ ପ୍ରବେଶ କରିବା ସହ ମଦ୍ୟପାନ କରିବାକୁ ସେମାନଙ୍କୁ ଏହା ଏବେ ବେଶ ସୁହାଉଛି । ଆଶ୍ଚର୍ଯ୍ୟର କଥା ବ୍ରହ୍ମବରଦା ଥାନା ଠାରୁ ମାତ୍ର ୨ସହ ମିଟର ଦୂରରେ ଥିବା ଉକ୍ତ ହାଜିରହିମିଆଁ ଖେଳ ପଡିଆଟି ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପୁଲିସ ଏହାର ଟେର କିପରି ପାଉନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ରହ୍ମବରଦା ପୁଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂକୁ ଟିକେ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି ।