ବାଲି ଅଭାବ, ଉନ୍ନୟନ କାର୍ଯ୍ୟ ଠପ୍ : ଜିଲ୍ଲାପାଳଙ୍କୁ ଭେଟିଲେ ଲୋକେ

 ରାୟଗଡ଼ା  : ବଂଶଧାରା କୂଳରେ ଅବସ୍ଥିତ ଗୁଣପୁର ସହରରେ ପ୍ରାୟ ୫ମାସ ହେଲା ବାଲିର ଅଭାବ ଦେଖା ଯାଇଥିବା ବେଳେ ଗୃହ ନିର୍ମାଣ କାମ ଠାରୁ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ନିର୍ମାଣ ଶ୍ରମିକମାନେ କାମ ନ ଥାଇ ହାତବାନ୍ଧି ବସିଛନ୍ତି । ଏଭଳି ବାଲି ସମସ୍ୟା ନେଇ ଲୋକମାନେ ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାୟଗଡାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗୁଣପୁରରୁ ଶତାଧିକ ଲୋକ ଯାଇ ବାଲି ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଗୁଣପୁରରେ ତିନୋଟି ବାଲୁକା ଶଯ୍ୟା ରହିଥିବାବେଳେ ଦୁଇଟି ବନ୍ଦ ହୋଇପଡିଛି । ଅନ୍ୟ ଗୋଟିଏ ଗୁଣୁପୁର ବାଲି ଶଯ୍ୟା-୧ କତ୍ତୁରୁ, ବିକ୍ରମପୁର, ହାରସିଂଗୁଡା ଗାଁକୁ ଲାଗି କରି ରହିଛି । ଏହି ବାଲୁକା ଶଯ୍ୟାରେ ସବୁ ସୁବିଧା ଥିଲେ ମଧ୍ୟ ବାଲି ବାହାରି ପାରୁନି । ଉକ୍ତ ଅଞ୍ଚଳରୁ ବାଲି ଉତ୍ତୋଳନ କଲେ ନିକଟସ୍ଥ ଗାଁ ଗୁଡାକ ପାଇଁ କୌଣସି ଅସୁବିଧା ନ ଥିବା ବେଳେ ଅଯଥାରେ ବିରୋଧ କରାଯାଉଛି । ଏହି ବାଲୁକା ଶଯ୍ୟାରୁ ବାଲି ଉତ୍ତୋଳନ କଲେ ସହରବାସୀ ଶୁଲଭ ମୂଲ୍ୟରେ ବାଲି ପାଇବେ । ବାହାରୁ ଆସୁଥିବା ବାଲିକୁ ୨୫୦୦ ଟଙ୍କାରେ ଗୋଟିଏ ଟ୍ରାକ୍ଟର କିଣିବାକୁ ପଡୁଥିବା ସମସ୍ୟା ମଧ୍ୟ ଦୂରେଇବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ତେବେ ଅତିଶୀଘ୍ର ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କୁ ଭେଟିଥିବା ଲୋକଙ୍କ ମଧ୍ୟରେ ପୂର୍ବତନ କାଉନସିଲର ପୂର୍ଣ୍ଣ ବାଉରୀ, ଜିତେନ୍ଦ୍ର ନାୟକ, ଭୈରବ ବେହେରା, କେଶବ ମହାନ୍ତିଙ୍କ ସମେତ ବହୁ ଲୋକ ସାମିଲ ଥିଲେ ।