ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ରାସ୍ତାରୋକ

 ନୀଳଗିରି: ନୀଳଗିରି ତହସିଲ ଅଧିନରେ ଥିବା ସୋନ ନଦୀରୁ ଦିନ ରାତି ବାଲି ମାଫିଆମାନେ ଟ୍ରିପ ଟ୍ରିପ୍ ବାଲି ଚୋରାରେ ଚାଲାଣ କରୁଥିବା ବେଳେ ରାଜସ୍ୱ ବିଭାଗ ଦେଖି ଜାଣି ଚୁପ୍ ରହିବା ଘଟଣା କୋଉଠି ନା କୋଉଠି ତାଙ୍କର ଅପାରଗତାକୁ ପଦାରେ ପକାଉଛନ୍ତି । ଏପଟେ ମାଫିଆମାନେ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ନଷଳଗିରି ରାଜସ୍ୱ ବିଭାଗ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି । ଏନେଇ ସୋନ ନଦୀର ପାର୍ଶ୍ୱବର୍ତ୍ତୀ ଗ୍ରାମ କାଠାପାଳର ଗ୍ରାମବାସୀମାନେ ଅନେକ ବାର ଲିଖିତ ଭାବେ ଉପଖଣ୍ଡ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଚୋରା ବାଲି ଚାଲାଣ ବାବଦରେ ନିଳଗିରି ତହସିଲଦାର, ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଯଦି ସାତ ଦିନ ମଧ୍ୟରେ ପ୍ରତିକାର ନହେଲେ ମିତ୍ରପୁର୍ ଉଦଳା ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଶତାଧିକ ଗ୍ରାମବାସୀ କଠାପାଳ ନିକଟରେ ରାସ୍ତା ଅବରୋଧ କରି ବସିଥିବାର ଦେଖିବାକୁ ମିଳିଛି । ଫଳରେ ମିତ୍ରପୁର ଉଦଳା ରାସ୍ତାରେ ଗାଡ଼ି ଚଳା ଚଳ ଏକ ପ୍ରକାର ଠପ୍ ହୋଇଥିଲା । ଦୁଇ ପାଖରେ ଅନେକ ଗାଡ଼ି ଛିଡା ହୋଇ ରହିଥିଲା । ସୂଚନା ଅନୁସାରେ ଚୋରା ବାଲି ମାଫିଆମାନେ ସୋନ୍ ନଦୀ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଲିଜ ଖାଦାନ ପରି ଅହୋରାତ୍ର ବାଲି ଚୋରାରେ ଚାଲାଣ କରୁଥିବା ବେଳେ ଶେଷରେ ଗୋଚର, ପଡିଆକୁ ମଧ୍ୟ ଖୋଳି ପକାଇଛନ୍ତି । ମାଫିଆମାନେ ଏପରି ସଙ୍କଟାପନ୍ନ ଅବସ୍ଥା ସୃଷ୍ଟି କରିଛନ୍ତି ଯେ ଆଗାମୀ ଦିନରେ ସୋନା ନଦୀର ନିକଟବର୍ତ୍ତୀ ସାତ ଆଠଟି ଗାଁ ଶୋନ ନଦୀରେ ଲୀନ ହୋଇଯିବ । ଏକଥାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଅନେକ ବାର ଖବର ପ୍ରକାଶିତ ହୋଇଥିଲା ବେଳେ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି ।