ବାଲି ଲୁଟେରା ଓ ପୁଲିସ ମଧୁଚନ୍ଦ୍ରିକା !  ନେଣଦେଣକୁ ସଦର ଆଇଆଇସିଙ୍କ ଖଣ୍ଡନ

 ବରୁଅାଁ: ରାତିରୁ ସକାଳ ପର୍ଯ୍ୟନ୍ତ ଅଟକ ଥିବା ବାଲିବୋଝେଇ ହାଇୱା ଛାଡ଼ିଦିଆଯିବା ଘଟଣା ଯାଜପୁର ସଦର ପୁଲିସ ଉପରକୁ ସାଧାରଣରେ ଅଙ୍ଗୁଳି ଉଠିବାରେ ଲାଗିଛି । ବାଲି ଲୁଟେରା ଓ ପୁଲିସ ମଧ୍ୟରେ ଥିବା ମଧୁଚନ୍ଦ୍ରିକାରୁ ଏହା ସମ୍ଭବ ହୋଇଛି ।
 ଘଟଣାରୁ ପ୍ରକାଶ ଯେ ବିଭିନ୍ନ ନଦୀରୁ ଦୈନନ୍ଦିନ ବେଆଇନ ଭାବେ ବାଲି ଉତ୍ତୋଳନ କରି ହାଇୱା ଗାଡ଼ି ରାତିରେ ଚଳପ୍ରଚଳ କରୁଥିବା ବେଳେ, ସଦର ପୁଲିସ ମଙ୍ଗଳବାର ରାତି ୧୧ଟାରେ ବେଆଇନ ବାଲି ବୋଝେଇଓଡ଼ି୨୨ଜେଡ-୦୫୨୫, ଓଡି୨୨ଟି-୦୬୦୯, ଓଡି୦୧ଏ ଟି-୭୯୫୭,ଓଡି୦୪ପି -୫୭୮୯, ଓଡିÿ ୨୨ଏଲ ୩୪୮୬ ଓ ଓଡି୦୧ଏ ଟି-୯୯୭୭ ଗାଡ଼ିକୁ ଧରି ଥାନା ସାମନାରେ ରଖି ପୁଲିସ ଜଗାଇଥିଲା । ହେଲେ ସକାଳ ୮.୩୦ ଘଟିକା ସମୟରେ ଗାଡ଼ି ଗୁଡ଼ିକୁ ଛାଡ଼ି ଦିଆଯାଇଥିଲା । ମୋଟା ଅଙ୍କର ଲାଞ୍ଚ ନେଇ ଗାଡ଼ି ଛାଡ଼ି ଦିଆଯାଇଥିବା ଅଭିଯୋଗ ଉଠିଥିଲା । ପୁଲିସ କିପରି ଏହି ଚୋରା ଗାଡ଼ି ଗୁଡିକ ଛାଡ଼ି ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ । ସାଧାରଣତଃ ବେଆଇନ ବାଲି ଗାଡତକୁ ଯଦି ପୁଲିସ ଧରେ ତେବେ ତହସିଲ ପ୍ରଶାସନ ଓ ଖଣି ବିଭାଗକୁ ଅବଗତ କରାଇବା କଥା । ଏହି ଦୁଇ ବିଭାଗର ଜୋରିମାନା ଆଦାୟ କରିବାର କ୍ଷମତା ରହିଛି । ସଂପୃକ୍ତ ଗାଡ଼ି ମାଲିକ ଜରିମାନା ଦେଲା ପରେ ମିଳିଥିବା ରସିଦକୁ ଆଣି ଗାଡ଼ି ଥିବା ଥାନାରେ ଦେଖାଇ ଗାଡ଼ି ଗୁଡ଼ିକୁ ନେଇ ପାରିବେ । କିନ୍ତୁ ପୁଲିସ ବାଲି ଗାଡ଼ି ଉପରୁ କୌଣସି ପ୍ରକାରର ଜରିମାନା ଆଦାୟ କରିପାରିବାର ନିୟମ ନାହିଁ । କିନ୍ତୁ ସଦର ପୁଲିସ କିପରି ଧରିଥିବା ବାଲି ବୋଝେଇ ଗାଡ଼ିକୁ ଛାଡ଼ି ଦେବା ପଛରେ ମୋଟା ଅଙ୍କର ନେଣଦେଣ ହୋଇଥିବା ଭଳି ଅଭିଯୋଗ ଉଠିବାରେ ଲାଗିଛି । କିନ୍ତୁ ସଦର ଥାନାଧିକାରୀ ଶଙ୍କର୍ଷଣ ଦଳେଇ ନେଣଦେଣକୁ ଖଣ୍ଡନ କରିଥିବା ବେଳେ ୱାଇ ଫର୍ମ ଦେଖାଇଥିବାରୁ ଗାଡ଼ିକୁ ଛଡ଼ା ଯାଇଥିବା କଥା କହିଛନ୍ତି । ପ୍ରଶ୍ନ ଉଠୁଛି ଯଦି ବାଲି ପରିବହନ ନିମନ୍ତେ ଗାଡ଼ି ଗୁଡିକର ସମସ୍ତ ପ୍ରକାର କାଗଜପତ୍ର ଠିକ୍ ଥିଲା ତେବେ ରାତି ୧୧ଟାରୁ ସକାଳ ୮ଟା ୩୦ପର୍ଯ୍ୟନ୍ତ ଅଟକା ଯାଇଥିଲା କାହିଁକି? ଯାହା ତଦନ୍ତ ସାପେକ୍ଷ ।