ପ୍ରବାସୀଙ୍କ ପାଇଁ ସଜେଇ ହେଉଛି କଟକ
କଟକ: ଉଭୟ ରାଜ୍ୟ ଓ ଦେଶରେ ଡବଲ ଇଂଜିନ ସରକାର ଆସିବା ପରେ ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଭିମୁଖ୍ୟ ବଦଳିଛି । ଅନେକ ନୂଆ କାର୍ଯ୍ୟକ୍ରମ ଆମ ରାଜ୍ୟରେ ଏବେ ହେବାରେ ଲାଗିଛି । ଦେଶ ବାହାରେ ରହୁଥିବା ଲକ୍ଷଲକ୍ଷ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରି ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଳିତ ହେବାକୁ ଯାଉଛି । ଏହି ମର୍ମରେ ଉଭୟ ଭୁବନେଶ୍ୱର ଓ କଟକକୁ ଏଥିଲାଗି ପ୍ରସ୍ତୁତ କରାଯାଉଛି । ଜିଲ୍ଲା ପ୍ରଶାସନ ଓ ସିଏମସି ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି କରାଯାଉଛି । ବିଭିନ୍ନ ରାସ୍ତାଘାଟକୁ ସଜା ଯାଉଥିବା ବେଳେ ସହରର ଅନେକ କାନ୍ଥ ବାଡ଼କୁ ରଙ୍ଗ ଦିଆଯାଉଛି । ଅନେକ ଜାଗାରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କାଯାଇ ପ୍ରବାସୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ କରାଯାଉଛି । ପ୍ରବାସୀମାନେ କଟକର ୫ଟି ସ୍ଥାନ ପରିଦର୍ଶନ କରିବେ ବୋଲି ସୂଚନା ଦିଆଯାଇଛି । ଦିନେ ନୌବାଣିଜ୍ୟ କ୍ଷେତ୍ରରେ ସାରା ବିଶ୍ୱକୁ ଚମକାଇ ଦେଇଥିବା ଏହି ଓଡ଼ିଶାରେ ଏବେ ପ୍ରବାସୀଙ୍କ ମେଳି ହେବାକୁ ଯାଉଥିବାରୁ ଓଡ଼ିଶା ମାଟିରେ ପରିଭ୍ରମଣ କରି କିଛି ନୂଆ ଅନୁଭୂତି ସାଉଁଟି ପ୍ରବାସୀ ଭାରତୀୟମାନେ ଘରକୁ ଫେରିବେ ବୋଲି କୁହାଯାଉଛି । କଟକ ନୌବାଣିଜ୍ୟ ମୁ୍ୟଜିୟମ, ବାରବାଟୀ ଦୁର୍ଗ, ନେତାଜୀ ଜନ୍ମସ୍ଥାନ ସଂଗହାଳୟ ଆଦି ପ୍ରବାସୀ ଭାରତୀୟମାନେ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ପ୍ରବାସୀ ଭାରତୀୟମାନେ ସିଲଭର ସିଟି ବୋଟିଂ କ୍ଲବ, ହାଇକୋର୍ଟ ମୁ୍ୟଜିୟମ ଓ ଲଳିତଗିରି ପ୍ରମୁଖ ଦର୍ଶନୀୟ ସ୍ଥାନ ବୁଲି ଦେଖିବାର ବନେ୍ଦାବସ୍ତ କରାଯାଇଛି । ପ୍ରବାସୀମାନେ ଯେପରି ସୁବିଧାରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସୁଖଦ ଅନୁଭୂତି ପାଇପାରିବେ ସେ ନେଇ ଉଭୟ ଜିଲ୍ଲା ପ୍ରଶାସନ ଓ ସିିଏମସି ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରାଯାଇଛି । ଆସନ୍ତା ୮ରୁ ୧୦ ତାରିଖ ଯାଏଁ ଉଭୟ ଭୁବନେଶ୍ୱର ଓ କଟକକୁ ବହୁ ପ୍ରବାସୀ ଆସିବାର କାର୍ଯ୍ୟକ୍ରମ ରହିଛି ।