୮ରୁ ଷ୍ଟିୟରିଂ ଛାଡ଼ ଆନେ୍ଦାଳନ

 ନୀଳଗିରି :  ୮ଦଫା ଦାବି ନେଇ ଅଲ୍ ଓଡିଶା ପରିବହନ ଚାଳକସଂଘ ପକ୍ଷରୁ ଆସନ୍ତା ଜୁଲାଇ ୮ତାରିଖରୁ ଷ୍ଟିୟରିଂ ଛାଡ଼ ଆନେ୍ଦାଳନର ଚେତାବନୀ ଦିଆଯାଇଛି । ଦାବି ମଧ୍ୟରେ  ଓଡ଼ିଶା ମୋଟର ପରିବହନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରିବା, ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ, ୬୦ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ରାଜ୍ୟରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନାଗୁଡ଼ିକରେ ଶତକଡ଼ା ୭୦ପ୍ରତିଶତ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ପ୍ରଦାନ, ସେପ୍ଟେମ୍ବର ୧ତାରିଖକୁ ଡ୍ରାଇଭର ଦିବସ ରୂପେ ଘୋଷଣା ଆଦି ଉଲ୍ଲେଖ ରହିଛି । ତେବେ ସଂଘ ପକ୍ଷରୁ ବିଭିନ୍ନ ସମୟରେ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ହେଁ  ମାତ୍ର ଗୋଟିଏ ଦାବି ପୂରଣ ହୋଇଛି । ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ । ପୂର୍ବରୁ ମାର୍ଚ୍ଚ ୨୯ତାରିଖ ଠାରୁ ଦୀର୍ଘଦିନ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଗଣଧାରଣା ମାଧ୍ୟମରେ ସରକାରଙ୍କ ପାଖରେ ଗୁହାରି ଜଣାଇଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହୋଇପାରିନାହିଁ । ଯାହାଦ୍ୱାରା ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ଜୁଲାଇ ୭ତାରିଖ ସୁଦ୍ଧା ସରକାର ଯଦି ଡ୍ରାଇଭର ମାନଙ୍କର ସମସ୍ୟାର ସମାଧାନ ନକରି ଅଣଦେଖା କରନ୍ତି, ତେବେ ଜୁଲାଇ ୮ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନେ୍ଦାଳନ କରିବା ସହିତ ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ସଂଘ ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି । ଏ ନେଇ ଅଲ୍ ଓଡ଼ିଶା ପରିବହନ ଚାଳକ ସଂଘ ନୀଳଗିରି ଶାଖା ପକ୍ଷରୁ ଏକ ଦାବିପତ୍ର ନୀଳଗିରି ଉପଜିଲ୍ଲାପାଳ, ତହସିଲଦାର, ଅଗ୍ନି ଶ୍ରମସେବା ବିଭାଗ ଏବଂ ସ୍ଥାନୀୟ ଥାନାକୁ ପ୍ରଦାନ କରାଯାଇଛି । ଦାବିପତ୍ର ଦେବା ସମୟରେ ନୀଳଗିରି ଶାଖା ସଭାପତି ସନିଆ ସିଂ, ଉପସଭାପତି ସନ୍ନ୍ୟାସୀ ସିଂ, କୋଷାଧ୍ୟକ୍ଷ ରାଜେଶ କୁମାର ସିଂ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।