ବନ୍ୟା ଜଳ ନିଷ୍କାସନରେ ଘୋର ସମସ୍ୟା 

 ନୀଳଗିରି : ଗ୍ରାମରେ ବନ୍ୟାଜଳ ନିଷ୍କାସନରେ ସମସ୍ୟା ହେଉଥିବାବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ଜଳନିଷ୍କାସନ ଜାଗାରେ ଗୃହନିର୍ମାଣ କରିବା ପରେ ବର୍ଷାଜଳ ନିଷ୍କାସନରେ ବାଧା ଉପୁଜିଛି । ଫଳସ୍ୱରୂପ ନିର୍ଦ୍ଧିଷ୍ଟ କିଛି ପରିବାରଙ୍କ ପୈତୃକ ସମ୍ପତ୍ତି ନଷ୍ଟ ହେଉଥିବାରୁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ମାରମାର ଭଣ୍ଡାରିଆକୁ ମାର ନୀତି ପ୍ରଶାସନ ଅବଲମ୍ବନ କରୁଥିବାର ଦେଖିବାକୁ ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦା ବ୍ଲକ ଦକ୍ଷିଣନରସିଂହପୁର ଗ୍ରାମରେ । 
ପୂର୍ବପୁରୁଷରୁ ବର୍ଷାଜଳ ଠିକ୍ ଭାବେ ନିଷ୍କାସନ ହେଉଥିଲା । ଗ୍ରାମ ଦେଇ ବହି ଯାଉଥିବା କଲରା ନଈଟି ଦେବଗିରି ପାହାଡ଼ ପାଦଦେଶରୁ ବାହାରି ମିରିଗିଣି ଛୁଆଖସା ପୋଲ ଦେଇ ବରିସାହି ଓ ଗାଙ୍ଗପୁରା ମୌଜା ହୋଇ ଯାଇଥିବାବେଳେ ପୁଣି ଏହାର ଏକଶାଖା ସାପୁଆ ନଈ ଭାବେ ଦକ୍ଷିଣକୁ ପ୍ରତାପଡା ମୌଜା ଦେଇ ବହି ଯାଇଥିବାବେଳେ ଏହାର ଉତ୍ତରକୁ ଗାଙ୍ଗପୁରା ମୌଜାରେ ମିଶିଛି । ପୂର୍ବକୁ ଦକ୍ଷିଣ ନରସିଂହପୁର ଦେଇ ଯାଇଥିବାବେଳେ ଉକ୍ତ ମୌଜାର ପାଣି ଦୁଇ ଭାଗରେ ବିଭକ୍ତ ହୋଇ ଚାଷ ଜମିରେ ସୁଚାରୁରୂପେ ପାଣି ମାଡି ଚାଷ କାର୍ଯ୍ୟ ହେଉଥିଲା । କିଛି ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୭ ମସିହା ପୂର୍ବରୁ ସବୁ ଠିକ୍ଠାକ୍ ଥିଲା । ହେଲେ ଦକ୍ଷିଣନରସିଂହପୁର ଗ୍ରାମର ଜମିମାଲିକ  କରୁଣାକର ବାରିକ, ବାଞ୍ଝାନିଧି ବାରିକ, ପୂର୍ଣ୍ଣଚନ୍ଦ୍ର ବାରିକ, ସୁଦର୍ଶନ ବାରିକ, ନୀଳାମ୍ବର ବାରିକ, ମନୋରଞ୍ଜନ ବାରିକ ଉକ୍ତ ଜମିଉପରେ ଘର ନିର୍ମାଣ କରିବା ଫଳରେ ବର୍ଷାଜଳ ନିଷ୍କାସନ ହେବାରେ ବାଧାପ୍ରାପ୍ତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଗ୍ରାମର ରାଜେନ୍ଦ୍ର ସିଂ, ଦୟାନିଧି ଦଳେଇ, ଗୌରାଙ୍ଗ ଦଳେଇ, ପୁରୁଷୋତ୍ତମ ଦଳେଇ, ଦିବାକର ପରିଡ଼ା, ରବୀନ୍ଦ୍ର ପରିଡ଼ା, ଜିତେନ୍ଦ୍ର ପରିଡ଼ା ପ୍ରମୁଖ ୧୦ରୁ ଊଦ୍ଧ୍ୱର୍ ଚାଷୀଙ୍କ ବ୍ୟକ୍ତିଗତ ଜାଗା ଉପରେ ୨ମିଟର ଓସାର ଏବଂ ୭ ଫୁଟ ଗଭୀର ଜାଗା ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଅତ୍ୟଧିକ ବନ୍ୟାଜଳ ମାଡିବା ଫଳରେ ଗ୍ରାମର ୩୦ରୁ ଊଦ୍ଧ୍ୱର୍ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି । ୨୦୧୭ ମସିହାରେ କୃତ୍ରିମ ବନ୍ୟା ହେବାରୁ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଦ୍ୟାବଧି ସମାଧାନ ହୋଇପାରିନାହିଁ । ଏପରି ସ୍ଥଳେ ଗତ ରବିବାର ନୀଳଗିରି ତହସିଲଦାର ଉକ୍ତ ଗ୍ରାମକୁ ଯାଇ ବ୍ୟକ୍ତିଗତ ଜାଗାରେ ବର୍ଷାଜଳ ନିଷ୍କାସନ  ହେଉଥିବା ସ୍ଥାନରେ  ସମାଧାନର ବାଟ ବାହାର କରିବା ପରିବର୍ତ୍ତେ ତାଙ୍କ ଉପରେ ଜୁଲମ କରିଥିଲେ । ଉକ୍ତ ନାଳକୁ ଅଧିକ ଭାବରେ ତାଡ଼ି ସମୁଦାୟ ଜଳ ନିଷ୍କାସନ ପାଇଁ ଜେସିବି ଲଗାଇ ପୋଲ ତାଡ଼ି ଦେଇଥିଲେ । ପୋଲ ଭାଙ୍ଗି ନ ଥିବା ବେଳେ ତହସିଲଦାର ଘଟଣା ସ୍ଥଳରୁ ଫେରିଆସିଥିଲେ ।  ଏ ନେଇ ଆଜି କ୍ଷତିଗ୍ରସ୍ତ ଜମିମାଲିକ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର କ୍ଷୋଭ ପ୍ରକାଶ କରଥିଲେ । ବର୍ଷାଜଳ ନିଷ୍କାସନ ପାଇଁ ଚେକଡ୍ୟାମ୍ ସହିତ ପୂର୍ବରୁ ପାଣି ଆସୁଥିବା ମାଲିକଙ୍କୁ ବୁଝାସୁଝା କରି ତାଙ୍କ ଜାଗା ପାଖ ଦେଇ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନକୁ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରିଛନ୍ତି ।