ସଂସଦରେ ପୁଣି ପରୀକ୍ଷା ଦେବ ବିଜେଡ଼ି

 ଭୁବନେଶ୍ୱର : ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡ଼ି ସୁପ୍ରିମୋ ତଥା ତକôାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିଥିଲେ  । ସେତେବେଳେ ଲୋକସଭାରେ ବିଜେଡ଼ିର ୧୨ ଓ ରାଜ୍ୟସଭାରେ ୯ ସାଂସଦ ଥିଲେ  । ବିଜେଡ଼ି ସମଦୂରତା ରକ୍ଷା କରୁଥିବାବେଳେ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ହିଁ ସମର୍ଥନ କରିଥିଲା  ।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବି ନବୀନଙ୍କ ସହଯୋଗ ଲୋଡ଼ିଥିଲେ ମୋଦି  । ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବାବେଳେ ପୁଣି ନବୀନଙ୍କୁ ଫୋନ୍ କରିଥିଲେ ମୋଦି  । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବାକୁ ବି ବିଜେପି ପକ୍ଷରୁ ବିଜେଡ଼ିର ସହଯୋଗ ଲୋଡ଼ା ଯାଉଥିଲା  । ଅତଏବ ସଂସଦରେ ବିଜେଡ଼ିର ଆବଶ୍ୟକତା ଥିବାବେଳେ ମୋଦିଙ୍କ ଫୋନ୍ କଲ ଆସେ ଓ ନବୀନବି ମୋଦିଙ୍କ କଥା ରଖନ୍ତି  ।
ନବୀନ ଓ ବିଜେଡ଼ି ସମଦୂରତ୍ୱର କଥା କହି ଆସୁଥିଲେବି ମୋଦି ସରକାରଙ୍କୁ କିନ୍ତୁ ସବୁକ୍ଷେତ୍ରରେ ସହଯୋଗ କରିଆସୁଥିଲେ  । ଯାହାକୁ ନେଇ କଂଗ୍ରେସ ବି ବିଜେଡ଼ି ଉପରେ ବର୍ଷିବାର ଅନେକ ନଜିର ରହିଛି  । ବିଜେଡ଼ି-ବିଜେପି ମଧ୍ୟରେ ଉପରସ୍ତରରେ ନିଘନ ସମ୍ପର୍କ ବି ଥିଲା  । ଏବେ କିନ୍ତୁ ରାଜନୀତିକ ଅଙ୍କ ବଦଳିଯାଇଛି  । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଥିବାବେଳେ ମୁଖ୍ୟ ବିରୋଧୀ ଦଳ ପାଲଟିଛି ବିଜୁ ଜନତା ଦଳ  । ସମ୍ପ୍ରତି ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରକୁ ଅକଳରେ ପକାଇବା ପାଇଁ ବିଜେଡ଼ି ରଣନୀତି କରିଛି  । ରାଜରାସ୍ତାକୁ ବି ଓହ୍ଲାଇଛି  । 
ଏଭଳି ପରିପ୍ରେକ୍ଷୀରେ ମଞ୍ଜକଥାଟି ହେଉଛି, ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି କାହାକୁ ଭୋଟ୍ ଦେବ ? ଏହି ପ୍ରସଙ୍ଗ ଭିତରକୁ ଯିବା ପୂର୍ବରୁ ୱାକଫ ବିଲ୍ ପ୍ରସଙ୍ଗର ଅବତାରଣା କରିବାର ଆବଶ୍ୟକତା ରହିଛି  । ନବୀନ ପ୍ରଥମେ ୱାକଫ ବିଲ୍କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଭୋଟିଂ ଦିନ ନିଷ୍ପତ୍ତି ବଦଳି ଯାଇଥିଲା  । ଆଉ ବିବେକାନୁମୋଦିତ ଭୋଟ ନିଷ୍ପତ୍ତି ବିଜେଡ଼ିରେ ଏକ ଝଡ଼ ସୃଷ୍ଟି କରିଥିଲା  । ଦଳର ଜଣେ ସାଂସଦ ୱାକଫ ବିଲକୁ ବିରୋଧରେ ଭୋଟ୍ ଦେଇଥିବାବେଳେ ୫ ସାଂସଦ  ସପକ୍ଷରେ ଭୋଟ୍ ଦେବା ଘଟଣା ଏବେବି ବିଜେଡ଼ି ନେତାଙ୍କୁ ଆଲୋଡ଼ିତ କରିଆସୁଛି  । 
ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଅକସ୍ମାତ ଇସ୍ତଫା ଏବେ ବିଜୁ ଜନତା ଦଳକୁ ବି ଅଡୁଆରେ ପକାଇଦେଇଛି  । ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଦଳ କାହାକୁ ସମର୍ଥନ ଦେବ ? ଏହାକୁ ନେଇ ବିଜେଡ଼ି ଅଳିନ୍ଦରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ସମ୍ପ୍ରତି ରାଜ୍ୟରେ ବିଜେଡ଼ି-ବିଜେପି ମୁହାଁମୁହିଁ ସ୍ଥିତିରେ ଥିବାବେଳେ ସଂସଦରେ ବିଜେଡ଼ି ଇଣ୍ଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ନା ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତାହା ଉପରେ ନଜର ରହିବା ସ୍ୱାଭାବିକ  । ରାଜ୍ୟ ରାଜନୀତିର ଗତି ଓ ଆଗାମୀ ଦିନରେ ବିରୋଧୀଙ୍କ ରଣନୀତି ନେଇ ଏହା ଏକ ବଡ଼ ସଂକେତ ଦେବବୋଲି କୁହାଯାଇପାରିବ  ।
ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ୍ ଦେଇଥା’ନ୍ତି  । ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ବିଜେଡ଼ିର ୨୧ ସାଂସଦ ଥିଲେ  । ଏବେ କିନ୍ତୁ ଲୋକସଭାରେ ଶୂନ ଥିବାବେଳେ ରାଜ୍ୟସଭାରେ ୭ ରହିଛି  । ତେବେ ଲୋକସଭାରେ ବିଜେପି ଓ ଏନଡ଼ିଏର ସଂଖ୍ୟା କିନ୍ତୁ ପୂର୍ବାପେକ୍ଷା କମିଯାଇଛି  । ସେପଟେ ଉପରାଷ୍ଟ୍ରପତିଙ୍କୁ ୭୮୮ ସାଂସଦମାନେ ନିର୍ବାଚିତ କରିବେ  । ଉପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଏନଡ଼ିଏର ବି ଶକ୍ତି ରହିଛି  । ସମ୍ପ୍ରତି ଏନଡ଼ିଏର ଲୋକସଭାରେ ୨୯୩ ଓ ରାଜ୍ୟସଭାରେ ୧୨୯ ସାଂସଦ ଅଛନ୍ତି  । ମୋଟ୍ ଉପରେ ୪୨୨ ସାଂସଦ ଥିବାବେଳେ ଆବଶ୍ୟକୀୟ ସଂଖ୍ୟାଠାରୁ ତାହା ୨୮ ଅଧିକା  । ଅର୍ଥାତ୍ ବିନା ବିଜେଡ଼ିରେ ବି ବିଜେପି ଆରାମରେ ଉପରାଷ୍ଟ୍ରପତି ନିର୍ବାଚନ ପାର କରିପାରିବ  । ତଥାପିବି କଂଗ୍ରେସ ଓ ବିରୋଧୀକୁ ଆହୁରି ଦୁର୍ବଳ କରିବା ପାଇଁ ମୋଦି ସବୁବେଳେ ଇଣ୍ଡି ସହ ନଥିବା ଅନ୍ୟ ଦଳଗୁଡ଼ିକର ସହଯୋଗ ଲୋଡ଼ି ଆସିଛନ୍ତି  । ଏବେ ମୋଦି ପୁଣିଥରେ ନବୀନଙ୍କୁ ଫୋନ୍ କରିବେ କି ନାହିଁ ? ସେନେଇ ଚର୍ଚ୍ଚା ହେବା ସ୍ୱାଭାବିକ  । 
ମୋଦି ଯଦି ନବୀନଙ୍କୁ କଲ୍ କରନ୍ତି, ବିଜେଡ଼ିର ୭ ଭୋଟ ଏନଡ଼ିଏ ପ୍ରାର୍ଥୀଙ୍କୁ ଯିବା ନିଶ୍ଚିତ  । ଯଦି ମୋଦି ଫୋନ୍ ନକରନ୍ତି ତେବେ ବିଜେଡ଼ିର ଆଭିମୁଖ୍ୟ କ’ଣ ରହିବ ? ଦଳ ଯଦି ଭୋଟଦାନରୁ ବିରତ ରହିବ ତାହା ପରୋକ୍ଷରେ ଏନଡ଼ିଏକୁ ସମର୍ଥନ ବୋଲି ଦର୍ଶାଇବ  । ବିଜେଡ଼ିର ନେତାମାନେ ଚାହୁଁଛନ୍ତି ସଂସଦରେ ବି ବିଜେଡ଼ି କେନ୍ଦ୍ର ସରକାରଙ୍କୁ ବିରୋଧ କରୁ  । ୱାକଫ ବିଲ୍ ପ୍ରସଙ୍ଗରେ ବି ବିଜେଡ଼ି ନେତାଙ୍କ ମତ ଏଇଆ ହିଁ ଥିଲା  । ହେଲେ ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଥିବାରୁ ପାଣ୍ଡିଆନଙ୍କ ଆଡ଼କୁ ଅଙ୍ଗୁଳି ଉଠିଥିଲା  । ତଥାକଥିତ ବିବେକର ଡାକରାରେ ଜଣଙ୍କୁ ଛାଡ଼ିଦେଲେ ବାକି ସବୁ ଭୋଟ୍ କେନ୍ଦ୍ର ସରକାରଙ୍କ ସପକ୍ଷରେ ହିଁ ଦିଆଯାଇଥିଲା  । ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏକୁ ବିଜେଡ଼ି ବିରୋଧ କରୁ ବୋଲି ବରିଷ୍ଠ ନେତାମାନେ ଚାହୁଁଛନ୍ତି  । କାହିଁକିନା ବିଜେପିକୁ ସମର୍ଥନ କଲେ ପୁଣି ରାଜନୀତିକ ବଳୟକୁ ଭିନ୍ନ ବାର୍ତ୍ତା ଯିବ  । ଉପରସ୍ତରରେ ବିଜେପି-ବିଜେଡ଼ିର ସମ୍ପର୍କ ଥିବା ପ୍ରଚାର ହେଲେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡ଼ି ହିଁ ବେଶୀ କ୍ଷତିଗ୍ରସ୍ତ ହେବ  । ଅତଏବ ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ ପରୀକ୍ଷାରେ ବିଜେଡ଼ି କ’ଣ ଲେଖୁଛି, ତାହା ଉପରେ ହିଁ ବିଜେଡ଼ିର ପଲଟିକାଲ ନମ୍ବର ନିର୍ଭର କରିବ  ।