ଅଙ୍ଗଦାନ ଉପରେ ସଚେତନତା
ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ଅନ୍ତର୍ଗତ ନାକଟିଦେଉଳ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଅଙ୍ଗଦାନ ସଚେତନତା ସମ୍ପର୍କିତ ଆଭାସୀ ସଭା ଅନୁଷ୍ଠିତ ହୋଇଯାଇଛି । କଲେଜର ପୁରାତନ ଛାତ୍ର ଶୁଭଜିତ୍ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗୁଗୁଲ୍ ମିଟ୍ରେ ସରାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ମାଝୀ ମୁଖ୍ୟଅତିଥି, ବରଗଡ଼ ପାର୍ବତି ଗିରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ନନ୍ଦିନୀ ନିରୋଦ ପଣ୍ଡା ଓ ଅଧ୍ୟାପକ ଡ଼. ପ୍ରଶାନ୍ତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଦିଲ୍ଲୀ ସ୍ଥିତ ରୋଟ୍ରାକ୍ଟ ୟୋଡ଼ା କ୍ଲବ୍ର ସଭାନେତ୍ରୀ ରୋଜାଲିନ ଦାଶ ଯୋଗ ଦେଇ ଅଙ୍ଗଦାନ ଭଳି ଏକ ଦିବ୍ୟସୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଉପରେ ଜୋର ଦେଇଥିଲେ । ଶ୍ରୀମତୀ ସସ୍ମିତା ମାଝୀ ପୁରାତନ ଛାତ୍ରଛାତ୍ରୀମାନଙ୍କର ଏହିପରି ପ୍ରୟାସକୁ ପ୍ରୋତ୍ସାହିତ କରିଥିବାବେଳେ ନିନ୍ଦିନୀ ନିରୋଦ ପଣ୍ଡା ବର୍ତ୍ତମାନର ଯୁବପିଢି ମଧ୍ୟରେ ଅଙ୍ଗଦାନର ଗୁରୁତ୍ୱ ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପୁରାତନ ଛାତ୍ରୀ ତେଜସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।