ଲଘୁଖଣିଜ ଚାଲାଣ : ରୋକିବାକୁ ସାଂସଦଙ୍କ ଚିଠି

 ନୀଳଗିରି : ଲଘୁ ଖଣିଜସମ୍ପଦରେ ଭରା ନୀଳଗିରିରେ ବୃଦ୍ଧିପାଇଛି ଲୁଟେରାଙ୍କ ଦୌରାତ୍ମ୍ୟ । ଦୈନନ୍ଦିନ ଶହଶହ ଟ୍ରିପ, ନାଲିମୋରମ, ବାଲି, ପଥର ଚୋରାରେ ଉତ୍ତୋଳନ କରିବା ସହିତ ବାହାରକୁ ଚାଲାଣକରି ମାଲାମାଲ ହେଉଛନ୍ତି । ଫଳରେ କୋଟିକୋଟି ଟଙ୍କା ସରକାର ରାଜସ୍ୱ ହରାଉଛନ୍ତି । ଏହାକୁ ଭିତ୍ତି କରି ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚୋରାଚାଲାଣ ରୋକିବା ଲାଗି ବାଲେଶ୍ୱର ଏସ୍ପିଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ଷଡ଼ଙ୍ଗୀ ଲେଖିଛନ୍ତି ଯେ, ମାଫିଆଙ୍କ ଦୌରାତ୍ମ୍ୟରେ ଅଞ୍ଚଳର ପ୍ରାକୃତିକ ସମ୍ପଦ ଉତ୍ତୋଳନ ଓ ଚୋରାଚାଲାଣ ହେବାଯୋଗୁଁ ସାଧାରଣଲୋକଙ୍କ ଜୀବନହାନି ହେବା ସହ ବାରମ୍ବାର ରାସ୍ତା ଦୁର୍ଘଟଣା ଘଟୁଛି । ନିକଟରେ ଦୁଇଜଣଙ୍କ ଅମୂଲ୍ୟଜୀବନ ଯାଇଥିବା ନଜିର ରହିଛି । ଏହାକୁ ରୋକଦେବା ପାଇଁ ପୁଲିସ, ବନବିଭାଗ ଏବଂ ଖଣିଜ ସଂପଦ ବିଭାଗର ମିଳିତ ଅପରେସନ ମାଧ୍ୟମରେ ମାଫିଆଙ୍କୁ ଚେକ୍ ଦେବାପାଇଁ ବାଘମରା, ନୀଳଗିରି ଚେକଗେଟ୍ ଏବଂ ମିତ୍ରପୁର ନିକଟରେ ଫୋର୍ସ ସହିତ ବନବିଭାଗ, ଖଣିଜବିଭାଗର କର୍ମଚାରୀ ମୁତୟନ କରାଯାଉ । ଏହାସହ ସହିତ ସାଂସଦ ଜିଲ୍ଲାପାଳ, ଖଣି ଅଧିକାରୀ, ଡିଏଫଓ, ନୀଳଗିରି ରେଞ୍ଜର ଓ କୁଳଡିହା ରେଞ୍ଜରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।