ସିଟିଓ ସର୍ତ୍ତ ଉଲ୍ଲଙ୍ଘନ କରୁଛି କେଜେଏସ୍ ଆଲୁୱାଲିଆ ଷ୍ଟିଲ ଏଣ୍ଡ ପାୱାର
କେନ୍ଦୁଝର : ବଡବିଲ ତହସିଲ ଗୁଆଲି ପଞ୍ଚାୟତ ଅନ୍ତର୍ଗତ ବରପଦାସ୍ଥିତ କେଜେଏସ୍ ଆଲୁୱାଲିଆ ଷ୍ଟିଲ ଏଣ୍ଡ ପାୱାର କାରଖାନାକୁ କନସେଣ୍ଟ ଅର୍ଡର ୨ବର୍ଷ ପାଇଁ ନବୀକରଣ କରାଯିବା ପରେ ଏଥିରେ ଏସ୍ପିସିବିର ସର୍ତ୍ତ ନ ମାନି କାରଖାନା ବେଧଡକ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଜଳ ଏବଂ ବାୟୁ ପ୍ରଦୂଷଣରେ କମ୍ପାନୀ ପାରିପାଶ୍ୱର୍ିକ ଗ୍ରାମର ଲୋକ ଅଣନିଃଶ୍ୱାସୀ ହୋଇ ପଡିଛନ୍ତି । ଚିଠି ନମ୍ବର ୪୪୬୧ ରେ ୩୧/୦୩/୨୦୨୪ ଠାରୁ ୩୧/୦୩/୨୦୨୬ ମସିହା ପର୍ଯ୍ୟନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ କନସେଣ୍ଟ ଅର୍ଡର ମିଳିଛି । କମ୍ପାନୀ କନସେଣ୍ଟ ଅର୍ଡରରେ ରହିଥିବା ସର୍ତ୍ତ ଖିଲାପ କରି ଜଳ, ବାୟୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି । କାରଖାନାର ୧୮.୮୩ ହେକ୍ଟର ଜମିରେ ଥିବା ଡମ୍ପିଂୟାର୍ଡ ସଠିକ୍ ଭାବେ ପରିଚାଳନା କରାଯାଇ ନଥିବାରୁ ବର୍ଜ୍ୟପାଣି ନିକଟସ୍ଥ ଚାଷ ଜମି ଓ ନଦୀନାଳ ପ୍ରଦୂଷିତ କରୁଛି । ଡମ୍ପିଂୟାର୍ଡର ଉଚ୍ଚତା ଅଧିକ ଥିବାରୁ ବର୍ଷାରେ ଅନେକ ପାଶ୍ୱର୍ରେ ଧସି ଯାଇ ବର୍ଜ୍ୟଜଳ ସିଧାସଳଖ ନିକଟସ୍ଥ ବିଲରେ ମିଶୁଛି । ଡମ୍ପିଂୟାର୍ଡ ପାଇଁ କରାଯାଇଥିବା ରିଟେନିଂ ୱାଲ, ଗାରଲାଣ୍ଡ ଡ୍ରେନ ଭାଙ୍ଗିଯାଇଛି ଫଳରେ ଡମ୍ପିଂୟାର୍ଡରୁ ବାହାରୁ ଥିବା ବର୍ଜ୍ୟଜଳ ବାହାରକୁ ପ୍ରଭାବିତ ହେଉଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାରଣ ସତ୍ତ୍ୱେ କମ୍ପାନୀ ଏହି ଡମ୍ପିଂୟାର୍ଡରେ ବର୍ଜ୍ୟବସ୍ତୁ ଜମା କରିଚାଲିଛି । ଶିଳ୍ପ ବର୍ଜ୍ୟଜନିତ ପରିବେଶ କ୍ଷତିର ଭରଣା କିଏ କରିବ ଏବଂ କିପରି ହେବ ତାହାକୁ ନେଇ ପ୍ରଭାବିତ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ସେହିପରି କାରଖାନା ପରିସର ମଧ୍ୟରେ ଲୁହାଗୁଣ୍ଡ, କୋଇଲା ଗୁଣ୍ଡ ଏବଂ ଅନ୍ୟ କଂଚାମାଲ ଗୁଡିକ ଖୋଲା ଆକାଶ ତଳେ ରଖାଯାଉଥିବାରୁ ବର୍ଷା ଜଳ ସଂସ୍ପର୍ଶରେ ଆସି ନିକଟବର୍ତ୍ତୀ ମୃର୍ତ୍ତିକା ପ୍ରଦୂଷିତ କରୁଛି । କାରଖାନା କର୍ତ୍ତୃପକ୍ଷ ଏହାକୁ ରୋକି ଟ୍ରିଟମେଣ୍ଟ ନ କରି ଜଳ ବାହାରକୁ ଛାଡୁଥିବାରୁ କମ୍ପାନୀ ପାଶ୍ୱର୍ବର୍ତ୍ତୀ ଜମି ପ୍ରଦୂଷଣ ହେଉଛି । କୋଇଲା ଷ୍ଟକୟାର୍ଡ ନିକଟରେ ଆବଶ୍ୟକତା ଅନୁଯାୟୀ ସରଫେସ ରନ ଅଫ୍ ଟ୍ରିଟମେଣ୍ଟ ସିଷ୍ଟମ(ଏସ୍ଆରଟିଏସ୍) ନଥିବାରୁ ବର୍ଜ୍ୟଜଳ ବାହାରକୁ ଯାଉଥିବାରୁ ଭୂତଳ ଜଳ ପ୍ରଦୂଷିତ ହେଉଛି । କାରଖାନା ପରିସରରେ ମାଲ୍ ପରିବହନ ରାସ୍ତା କଂକ୍ରିଟ ହୋଇ ନଥିବାରୁ ଗାଡି ଚଳାଚଳ ସମୟରେ ଧୂଳି ଉଡି ବାୟୁ ପ୍ରଦୂଷଣ ହେଉଛି । କମ୍ପାନୀର ମୋଟ ଜମିର ୨୫ପ୍ରତିଶତ ଜମିରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ନିୟମ ଥିଲେ ମଧ୍ୟ ସବୁଜ ବଳୟ ସୃଷ୍ଟି କରାଯାଇନାହିଁ । ଫଳରେ ବାୟୁ ପ୍ରଦୂଷଣ ପ୍ରତିହତ କରିବାରେ କମ୍ପାନୀ ବିଫଳ ହୋଇଛି । ଏପରିକି କମ୍ପାନୀ ପରିସରରେ ଖାଲିଥିବା ଜମିରେ ବିଭିନ୍ନ ନୂତନ ପ୍ରୋଜେକ୍ଟ କରାଯାଉଛି ଏବଂ ଏହାକୁ ବିଭିନ୍ନ ବିଭାଗର ଅନୁମତି କିପରି ମଧ୍ୟ ମିଳୁଛି ତାହା ତଦନ୍ତ ସାପେକ୍ଷ । କମ୍ପାନୀରୁ ବାହାରୁଥିବା ଫାଏ ଆସ କିପରି ପରିଚାଳନା ହେଉଛି ତାହାର ମଧ୍ୟ ସଠିକ୍ ଯାଂଚ ହେଉନାହିଁ । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ନୋଟିଫିକେସନ ନମ୍ବର ଏସଓ ୨୫୪(ଇ) ଅନୁଯାୟୀ ଫାଏ ଆସ ପରିଚାଳନା ହେଉନାହିଁ । ଜଳ ଓ ବାୟୁ ପ୍ରଦୂଷଣରେ ସ୍ଥାନୀୟ ଗ୍ରାମବାସୀ ଜର୍ଜରିତ ହେଉଥିବାବେଳେ କମ୍ପାନୀ କୋଟି କୋଟି ଟଙ୍କା ଲାଭ କରି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଇଛି । ସିଏସ୍ଆର ପାଣ୍ଠି କେବଳ କାଗଜକଲମରେ ଖର୍ଚ୍ଚ ହେଉଛି । ଆରପିଡିଏସି ବୈଠକ ୭ବର୍ଷ ଧରି ବସି ନଥିବାରୁ ଏହାର ସମୀକ୍ଷା ମଧ୍ୟ ହେଉନାହିଁ । କୁଶଳୀ ଶ୍ରମିକଙ୍କୁ ଅଣ କୁଶଳୀ ଭାବେ ରଖାଯାଇ କମ ଦରମା ଦିଆଯାଉଛି । କାରଖାନା ପରିସରରେ ମାତ୍ରାଧିକ ଗଭୀର ବୋରୱେଲ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜଳସ୍ତର କମିଯାଉଛି । ପାଖଆଖ ଗ୍ରାମରେ ଥିବା ନଳକୂପରେ ଆବଶ୍ୟକ ମାତ୍ରାରେ ଜଳ ନଳକୂପରେ ବାହାରୁନାହିଁ । ଫଳରେ ଲୋକମାନେ ନାନା ସମସ୍ୟାରେ ପଡୁଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ଶ୍ରମ ବିଭାଗ ଏବଂ ଫାକ୍ଟ୍ରି ଏଣ୍ଡ ବଏଲର,ବନ ବିଭାଗ ଏହାର ଯାଞ୍ଚ କରି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।