"ବିକଶିତ ଗାଁ ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର: ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଜୟପୁର ପଞ୍ଚାୟତ ସମିତି ପରିସର ମଧ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଏହି ନୂତନ ଯୋଜନା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବା ସହ ରାଜ୍ୟରେ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯିବ । ଏଥିରେ ମୌଳିକ ଭିତ୍ତିଭୂମିର ବିକାଶ, ଗ୍ରାମ୍ୟ ସଡ଼କ ସଂଯୋଗିକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଜନ ମଙ୍ଗଳକାରୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକ୍ଷମ କରିବା ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଳକ୍ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଉପାଧ୍ୟକ୍ଷ ଗଣେଶ ପାଢ଼ୀ ପ୍ରମୁଖଙ୍କ ସହ ପଞ୍ଚାୟତ ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଓ ମିସନ ଶକ୍ତି ମହିଳାମାନେ ଉପସ୍ଥିତ ଥିଲେ ।
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଖଇରା ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାଷି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନକୁ ସମସ୍ତେ କରତାଳି ଦେଇ ସ୍ୱାଗତ କରିଥିଲେ । ବିଧାୟକ ପଦ୍ମଲୋଚନ ପଣ୍ଡା ବକ୍ତବ୍ୟରେ ରାଜ୍ୟ ସରକାର ଭୋଟ ପୁର୍ବରୁ ଯେଉଁସବୁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିଲେ ସେ ସବୁକୁ ପୁରଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଗ୍ରାମାଞ୍ଚଳ ବିକାଶରେ ଏହି ଯୋଜନା ନିର୍ଣ୍ଣାୟକ ଭୁମିକା ନେବ ବୋଲି ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପ୍ରକାଶ କରିଥିଲେ । ନିର୍ବାହୀ ଅଧିକାରୀ ବିରେନ୍ଦ୍ର ଜେନା ମଞ୍ଚ ପରିଚାଳନା କରିଥିଲେ । ବିଡିଓ ଜିତେନ୍ଦ୍ର ମୁର୍ମୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଅଙ୍ଗନୱାଡି କର୍ମୀ, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ । ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।