ଖୋଲିଲାଣି ସ୍କୁଲ, ହଟିନି ମତଦାନ କେନ୍ଦ୍ର ତୋରଣ
ଦାନଗଦୀ: ନିର୍ବାଚନ ଶେଷ ହେବାକୁ ୨୦ଦିନ ବିତିଲାଣି । ଛୁଟିପରେ ସ୍କୁଲ ଖୋଲିଲାଣି । ହେଲେ ସ୍କୁଲ ଫାଟକରେ ଲାଗିଥିବା ମତଦାନ କେନ୍ଦ୍ର ତୋରଣ ହଟିନି । ତୋରଣ ଲଗାଇବା ଦିଗରେ ପ୍ରଶାସନ ଯେଭଳି ତତ୍ପରତା ଦେଖାଇଥିଲା, ହଟାଇବା ଦିଗରେ କିନ୍ତୁ ସେଭଳି ତତ୍ପରତା ଦେଖାଇ ନାହାନ୍ତି । ଅବଶ୍ୟ ମତଦାନ କେନ୍ଦ୍ର ତୋରଣ ଲାଗିବାରେ କୌଣସି ଅସଙ୍ଗତ ନାହିଁ, ହେଲେ ଯେଭଳି ଭାବେ ଝଡ଼ତୋଡଫାନ ହେଉଛି, ତୋରଣ ଉଡ଼ିବାର ଭୟ ଓ ଆଶଙ୍କା ପ୍ରକାଶ ପାଇବା ସ୍ୱାଭାବିକ୍ । ନିର୍ବାଚନ ସରିବାର ତିନି ସପ୍ତାହ ଯାଇ ନୂତନ ସରକାର ଗଠନ ହୋଇସାରିଲାଣି ତୋରଣ ଗୁଡ଼ିକ ଖୋଲିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଦାନଗଦୀ ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତର ମାନଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେ ଆଦର୍ଶ ମତଦାନ କେନ୍ଦ୍ର ହୋଇଥିଲା । ଏହି ମତଦାନ ପାଇଁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଆଦର୍ଶ ମତଦାନ କେନ୍ଦ୍ର ୨୦୨୪କୁ ସ୍ୱାଗତମ୍ ତୋରଣ ପ୍ରଶାସନ ତରଫରୁ ଲଗାଯାଇଥିଲା । ଯାହା ଫଳରେ ସେହି ଫାଟକରେ ବିଦ୍ୟାଳୟ ନାଁଟି ଲୁଚି ଯାଇଥିଲା । ନିର୍ବାଚନ ସରିବାର ତିନି ସପ୍ତାହ ଗଲାଣି, ଇତି ମଧ୍ୟରେ ବିଦ୍ୟାଳୟ ଖୋଲା ଗଲାଣି, ବିଦ୍ୟାଳୟକୁ ଛାତ୍ରଛାତ୍ରୀ, ଶିକ୍ଷକ ମାନେ ଆସିଲେଣି, କିନ୍ତୁ ବିଦ୍ୟାଳୟ ଫାଟକରେ ତୋରଣ ହିଁ ଶୋଭାପାଉଛି । ମତଦାନ କେନ୍ଦ୍ର ତୋରଣଟି ରହିଥିବାରୁ ବିଦ୍ୟାଳୟ ନାଁ ଦେଖାଯାଉ ନାହଁ । ଯିଏ ଫାଟକ ଉପରକୁ ଦେଖୁଛନ୍ତି ମାନଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ସ୍ଥାନରେ ଆଦର୍ଶ ମତଦାନ କେନ୍ଦ୍ର ପଢୁଛନ୍ତି । ବ୍ଲକ ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି ।