ବିକଶିତ କୃଷି ସଂକଳ୍ପ ଅଭିଯାନ
ତିହିଡି : ତିହିଡ଼ି ବ୍ଲକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଛି । ବ୍ଲକର ଦୌଲତପୁର ପଞ୍ଚାୟତ ଅଧୀନ ଅର୍ଜୁନବିନ୍ଧା ଗ୍ରାମର ଦୁର୍ଗାପଡ଼ିଆରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ପୌରୋହିତ୍ୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ବିଡିଓ ନିରଞ୍ଜନ ବାରିକ, ମୁଖ୍ୟବକ୍ତା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ, ସମ୍ମାନିତଅତିଥି ଭାରତୀୟ ଅନୁସନ୍ଧାନ ପରିଷଦର ବୈଜ୍ଞାନିକ ଡ. ରାଜଲକ୍ଷ୍ମୀ ବେହେରା, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିଜୟଲକ୍ଷ୍ମୀ ମହନ୍ତି ଓ ଡ. ବିଜୟଲକ୍ଷ୍ମୀ ରାଉତ, ବରିଷ୍ଟ ଗବେଷିକା ଭାନୁମତୀ ଧିନ୍ଦା, ସରପଞ୍ଚ ପ୍ରଭାତ ମିଶ୍ର ପ୍ରମୁଖ ଯୋଗଦେଇ ଆଧୁନିକ ପ୍ରଣାଳିରେ ଚାଷ କଲେ କୃଷକମାନେ ଅଧିକ ଫସଲ ଉତ୍ପାଦନ କରିପାରିବେ । କୃଷକମାନେ ଅଧିକ ଅମଳ କଲେ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି କହିଥିଲେ । ଏହି ଶିବିରରେ ଯୋଗଦେଇଥିବା ମହିଳା ଓ ପୁରୁଷ କୃଷକମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଜଣାଇଥିଲେ । ଶିବିରରେ କୃଷି ବୈଜ୍ଞାନିକ ଓ ଗବେଷକମାନେ ଖରିଫ୍ ଚାଷ, ପନିପରିବା ଚାଷ, ମାଛ ଚାଷ, ଡାଲିଜାତୀୟ ଚାଷ, ଆଖୁ, ଅଦା, ପଶୁପାଳନ ଇତ୍ୟାଦି ଚାଷ ଉପରେ ତାଲିମ ଦେଇଥିଲେ । ଡିଟିଏମ ରଞ୍ଜିତ ସାହୁ, ଏଟିଏ ଅନୁରାଗ ନାୟକ, ଗିରିଜାଶଂକର ରାୟ ଚୌଧୁରୀ, ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ବିଜୟ ସିଂ ଓ ସତ୍ୟବ୍ରତ ନାୟକ, ମତ୍ସ୍ୟ ବିଭାଗ ଅଧିକାରୀ ସୁଚିତ୍ରା ବେହେରା ଓ ସଂଗୀତା ପତି, ଗ୍ରାମ୍ୟ କୃଷି କର୍ମଚାରୀ ତ୍ରିନାଥ ଭୋଇ, ସନ୍ତୋଷ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।