ଅନ୍ଧପୁଟୁଳି ବାନ୍ଧି ବସିଛି ପୂର୍ତ୍ତ ବିଭାଗ : ରାସ୍ତା ମଝିରେ ବଡ଼ ଖାଲ, ଘଟୁଛି ଦୈନିକ ଦୁର୍ଘଟଣା

 ଦାନଗଦୀ:  ଗାଁରୁ ବଜାର ସବୁ ରାସ୍ତା ଚକ୍କାଚକ୍କ । କୋଉଠି ବି ଖାଲଢିପ ଦେଖିବାକୁ ମିଳିବନି । ଗଲା ସରକାର ସମୟରେ ବିକାଶ ଏମିତି କରାଯାଇଛି ବୋଲି ନିର୍ବାଚନ ସମୟରେ କୁହାଯାଇଥିଲା । କିନ୍ତୁ ବିରୋଧି ଦଳରେ ଥିବା ଦଳ ରାସ୍ତାଘାଟ ଅବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆମ ଦଳ ସରକାରକୁ ଆସିଲେ ରାସ୍ତା ଅବସ୍ଥା ସୁଧୁରିଯିବ ବୋଲି କହୁଥିଲେ । ହେଲେ ସରକାର ବଦଳିଗଲା ସିନା ରାସ୍ତାର ଅବସ୍ଥା ସୁଧୁରିଲାନି । ପୂର୍ତ୍ତ ବିଭାଗର ବାବୁମାନେ ବାନ୍ଧିଥିବା ଅନ୍ଧ ପୁଟୁଳି ଖୋଲିବାକୁ ନାରାଜ । ଯାହା ଫଳରେ ସାଧରଣ ଯାତ୍ରୀଙ୍କୁ ଭୋଗିବାକୁ ପଡ଼ୁଛି ହନସ୍ତା । 
ଆମେ କହୁଛୁ ଦାନଗଦୀ ବଙ୍ଗୋରକୋଟା ପୂର୍ତ୍ତ ବିଭାଗ ରାସ୍ତାର କଥା ।  ଦାନଗଦୀ ବଜାରରୁ ମାତ୍ର ଦୁଇଶହ ମିଟର ଗାଁ ଭିତରକୁ ଧୂଳିଗଡ଼ ଅଭିମୁଖେ ଗଲେ ବୁଲାଣି ରାସ୍ତା ଉପରେ ଏକ ବିରାଟ ଖାଲ ହୋଇଛି । ଦାନଗଦୀ ଗାଁ ସାରା ଡ୍ରେନର ମଇଳା ପାଣି ସେଇ ଖାଲ ଦେଇଯାଉଛି । ଯାହା ଫଳରେ ରାସ୍ତାରେ ଯାତାୟାତ କରୁଥିବା ବାଇକ ଆରୋହୀ ପାଣିରେ ପଶି ଯିବା ପାଇଁ ଭୟ କରୁଥିବା ବେଳେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି । ପାଣି ଭିତରେ ପଡ଼ିଥିବାଟେକା ପଥର ପାଇଁ ବାଇକ ପମ୍ପଚର ହେବାରେ ଲାଗୁଛି । ବର୍ଷକ ବାର ମାସ ଏହି ଗାଡ଼ (ଘୋଷରା)ରେ ପାଣି ଜମି ରହୁଛି । ଏ ରାସ୍ତା ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ଦାନଗଦୀ ବଜାରକୁ ରାଣୀପଡା, ଦାନଗଦୀ ବ୍ଲକର ବଙ୍ଗରାକୋଟା ପଯ୍ୟନ୍ତ, ଏପରିକି ଯାଜପୁର ସୀମାରେ ଥିବା କେଉଁଝରର ବାନ୍ଧଗୋଡ଼ା, ଦେଓଗାଁର ଦୈନିକ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ସେହି ରାସ୍ତା ଦେଇ ଆଦର୍ଶ ବିଦ୍ୟାଳୟ ଓ ଏକଲବ୍ୟ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଯାତାୟାତ କରନ୍ତି । ଦାନଗଦୀ ହାଟ ପାଳି ସୋମବାର ଓ ଶୁକ୍ରବାର  ପଲ୍ଲୀ ଅଞ୍ଚଳର ଶତାଧିକ ଲୋକ ଏରାସ୍ତାରେ ଯାଉଥିବାରୁ ଛୋଟ ବଡ଼ ଦୁର୍ଘଟଣା ନଚେତ ଏ ଖାଲରେ ଜଣେ ଦୁଇଜଣ ପଡିବା ନିଶ୍ଚିତ । ପୂର୍ତ ବିଭାଗ ପାଖରେ ଏଖବର ନାହିଁ କହିଲେ ଭୁଲ ହେବ । ହେଲେ ସବୁଜାଣିଥିବା ବିଭାଗ ମରାମତି କରିବାକୁ ମନ ବଳାଉନି । ଦେଖିବାର ଅଛି ବିଭାଗର ଅନ୍ଧ ପୁଟୁଳି କେବେ ଖୋଲୁଛି ।