ହାଇଦ୍ରାବାଦ ନିବେଶକ ସମ୍ମିଳନୀ : ନିବେଶ ହେବ ୬୭ ହଜାର କୋଟି
-
୧୩ ସଂସ୍ଥା ସହ ୨୭୬୫୦ କୋଟିର ଏମ୍ଓୟୁ
-
୩୯୧୩୧ କୋଟିର ନିବେଶ ପ୍ରତିଶ୍ରୁତି
-
ସୃଷ୍ଟିହେବ ୫୬ ହଜାର ନିଯୁକ୍ତି
-
ଭାରତର ଗ୍ରୋଥ ଇଞ୍ଜିନ ହେବ ଓଡ଼ିଶା : ମୋହନ
ଭୁବନେଶ୍ୱର : ଭାରତର ଗ୍ରୋଥ୍ ଇଞ୍ଜିନ ହେବ ଓଡ଼ିଶା । ଓଡ଼ିଶା ନିବେଶକ ସମ୍ମିଳନୀ ଦୀର୍ଘମିଆଦୀ ସହଯୋଗର ଏକ ପ୍ଳାଟଫର୍ମ । ଯାହାକି ନିବେଶ ପ୍ରତିଶ୍ରୁତିକୁ ବାସ୍ତବ ନିବେଶରେ ରୂପାନ୍ତରିତ କରୁଛି । ହାଇଦ୍ରାବାଦରେ ଆୟୋଜିତ ନିବେଶକ ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମ୍ମିଳନୀରେ ୧୩ ଏମଓୟୁ ସ୍ୱାକ୍ଷରିତ ହୋଇଥିବାବେଳେ ଏହାଦ୍ୱାରା ୨୭୬୫୦ କୋଟି ଟଙ୍କାର ନିବେଶ ହେବ । ଯାହାଦ୍ୱାରା ୧୫୯୦୫ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏତଦ୍ବ୍ୟତୀତ ୩୯୧୩୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଯାହାଦ୍ୱାରା ୪୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ନୀତିରେ ସ୍ଥିରତା ଓ ପ୍ରଶାସନିକ ସହଯୋଗ ଜରିଆରେ ରାଜ୍ୟକୁ ନିବେଶକ ଅନୁକୂଳ ସ୍ଥାନରେ ପରିଣତ କରାଯାଉଛି । ଏହି ସମ୍ମିଳନୀ ଜରିଆରେ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରାଯିବା ସହ ସେମାନଙ୍କ ପାଇଁ ରାଜ୍ୟ ସରକାର କି କି ନୀତି କରିଛନ୍ତି, କିକି ସୁବିଧା ପ୍ରଦାନ କରିବେ ଆଦି ସମ୍ପର୍କରେ ଅବଗତ କରାଯାଉଛି । ସେହିପରି ନିବେଶକ ସମ୍ମିଳନୀରେ ଶିଳ୍ପପତି, କମ୍ପାନୀମାନଙ୍କର ବରିଷ୍ଠ ଅଧିକାରୀ, ଶିଳ୍ପ ସଂଘ ସହ ବି ସିଧାସଳଖ ଆଲୋଚନା କରାଯାଉଛି । ହାଇଦ୍ରାବାଦରେ ପ୍ରାୟ ୫୦୦ ପ୍ରତିନିଧିଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ଭିଜନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଦୃଢ଼ ଭିତ୍ତିଭୂମି, ବିତ୍ତୀୟ ଶୃଙ୍ଖଳା ଓ ଉତ୍ତମ ପ୍ରଶାସନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ରାଜ୍ୟର ବିଶାଳ ସମୁଦ୍ର ଉପକୂଳ, ବନ୍ଦରଭିତ୍ତିକ ବିକାଶ, ଶିଳ୍ପ କରିଡ଼ରର ସମ୍ପ୍ରସାରଣ ଓଡ଼ିଶାକୁ ଘରୋଇ ଓ ବିଶ୍ୱ ବଜାରର ଗେଟୱେ ଭାବେ ପ୍ରତିପାଦିତ କରିଛି । ସେହିପରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ସାମିଲ୍ ହେବା ସହ ଶିଳ୍ପପତି, ଶିଳ୍ପ ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିଯେ, ଓଡ଼ିଶା ନିବେଶକ ସମ୍ମିଳନୀ ସଫଳ ହୋଇଛି । ଓଡ଼ିଶାର ଶିଳ୍ପ ନୀତି ଓ ପ୍ରଶାସନିକ ମଡେ଼ଲ ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧିକରିଛି । ନିବେଶକମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।
Samir Kumar Rout