ବିଡିଓଙ୍କୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଦାବିପତ୍ର

 ବୈଶିଙ୍ଗା : ଆଦିବାସୀଙ୍କ ସାର୍ନା ଧର୍ମକୁ ଏକ ସ୍ୱତନ୍ତ୍ର ଧର୍ମର ସରକାରୀ ମାନ୍ୟତା ଦାବିରେ ସାରା ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କ୍ରମରେ ବେତନଟୀ ବିଡିଓ ସୁଶାନ୍ତ କୁମାର ସୁତାରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରୀ ସଭାପତି କରନାଥ ହେମ୍ବ୍ରମ୍ଙ୍କ ନେତୃତ୍ୱରେ ଚନ୍ଦ୍ରକାନ୍ତ ହାଁସଦା, ବୈଦ୍ୟନାଥ ମାଝୀ, କୃଷ୍ଣଚନ୍ଦ୍ର ହେମ୍ବ୍ରମ୍ଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ବ୍ଲକ୍ କାର୍ଯ୍ୟାଳୟରେ ଦଳୀୟ ପତାକା ଓ ପ୍ଲାକାର୍ଡ ଧରି ଦାବିପୂରଣ ନିମନ୍ତେ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ । ଆଦିବାସୀମାନେ ବହୁ ପୁରାତନ କାଳରୁ ସାର୍ନା ଧର୍ମରେ ବିଶ୍ୱାସ ରଖିବା ସହ ପ୍ରକୃତିକୁ ପୂଜା କରୁଥିବାବେଳେ ଅନ୍ୟାନ୍ୟ ଧର୍ମ ଠାରୁ ଏହା ସମ୍ପୂର୍ଣ୍ଣ ନିଆରା ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଏଣୁ ମହାମହିମ ରାଷ୍ଟ୍ରପତି ଏ ଦିଗରେ ପଦକ୍ଷେପ ନେବା ସହ ଆଗାମୀ ଜନଗଣନା ସମୟରେ ସ୍ୱତନ୍ତ୍ର ସେନସସ୍ କୋର୍ଡର ବ୍ୟବସ୍ଥା କରାଯିବା ପାଇଁ ଦାବି ଜଣାଇଥିଲେ ।