ବିଦାୟ ନେଲେ ଗଜାନନ
ତାଳଚେର : ବହୁ ଐତିହାସିକ ଓ ତାଳଚେର ପ୍ରସିଦ୍ଧ ଗଣପର୍ବ ବାବା ଗଣେଶଙ୍କ ବିସର୍ଜନ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାରମ୍ପାରିକ ନୃତ୍ୟସଙ୍ଗୀତ, ଝାଞ୍ଜ, ଘଣ୍ଟ, ବାଦ୍ୟ ଓ ଲୋକାରଣ୍ୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୩୭ଟି ମେଢ଼ କ୍ରମାନ୍ୱୟ ଭାବେ ବଡ଼ଦାଣ୍ଡସାହି ସ୍ଥିତ ମେଲଣପଡ଼ିଆ ଠାରେ ସକାଳୁ ପହଞ୍ଚô ପ୍ରାୟ ଅପରାହ୍ନ ୨ଘଟିକା ସମୟରେ ନିଜ ନିଜର ବେଶଭୂଷା ପରିଧାନ କରି ନୃତ୍ୟର ତାଳେ ତାଳେ ବିସର୍ଜନ ଶୋଭାଯାତ୍ରାରେ ବଡ଼ବଜାର, ଫାଷ୍ଟଗେଟ୍ ଦେଇ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା । ଏଥିରେ ପୁଲିସ୍ ପ୍ରଶାସନ ପକ୍ଷରୁ ଗଣ୍ଡଗୋଳକୁ ଆଶଙ୍କା କରି ସମସ୍ତ ଛକ ଗୁଡ଼ିକରେ ବ୍ୟାପକ ପୁଲିସ୍୍ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବିଗତବର୍ଷ ପୂଜା ମାହୋଲ ପରି ଚଳିତବର୍ଷ ଏହି ପୂଜା ମାହୋଲରେ ବ୍ୟାପକ ତ୍ରୁଟିକୁ କେନ୍ଦ୍ରକରି ସମଗ୍ର ତାଳଚେର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ଗତବର୍ଷ ୩.୫ଟନର ଲଡ଼ୁ ସର୍ବସାଧାରଣଙ୍କ ମେଲପଡ଼ିଆ ଠାରେ ୧୯ଲକ୍ଷ ୩୮ହଜାର ଟଙ୍କାରେ ନିଲାମ କରାଯାଇଥିଲା । ମାତ୍ର ଚଳିତବର୍ଷ ଏହି ଲଡ଼ୁ ପ୍ରସ୍ତୁତିରେ ଘୋର ବିଭ୍ରାଟ ଦେଖାଦେଇଥିଲା । କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ଲଡ଼ୁ ନିଲାମକୁ ନେଇ ଘୋର ବ୍ୟତିକ୍ରମ ଘଟିବା ଯୋଗୁଁ କମିଟି ସଭାପତି ତଥା ଉପଜିଲ୍ଲାପାଳ ସମୀର ଜେନା ଓ କାର୍ଯ୍ୟକାରୀ ସଭାପତି ଏସଡ଼ିପିଓ ଭରତଚନ୍ଦ୍ର ସାହୁ ଉକ୍ତ ମଞ୍ଚରୁ ଏହି ପଦରୁ ଉସ୍ତଫା ଦେଇଥିବା ଘଟଣା ଇତିହାସ ସୃଷ୍ଟି କରିଛି । ମେଲଣ ପଡ଼ିଆରେ ପୂର୍ବବର୍ଷ ଭଳି ଜନଗହଳି ଚଳିତ ବର୍ଷ ଦେଖିବାକୁ ମିଳିନଥିବା ବେଳେ ବହୁ ବିଳମ୍ବରେ ଲଡ଼ୁ ନିଲାମ ପ୍ରକି୍ରୟା ଆରମ୍ଭ ହୋଇଥିଲା ଓ ବହୁ ସମୟ ପରେ ମଧ୍ୟ ଏହାର ପରିସମାପ୍ତି ଘଟିଥିଲା । ଏହି ପ୍ରକି୍ରୟାରେ ମାତ୍ର ଦୁଇରୁ ତିନିଜଣ ବ୍ୟକ୍ତି ଲଡ଼ୁ ନିଲାମ ବଢ଼ିବାକୁ କମିଟିକୁ ଅର୍ଥ ଦାଖଲ କରିଥିଲେ । ଏହାପରେ ସେଥି ମଧ୍ୟରୁ ଜଣେ ୧୨ଲକ୍ଷ ଟଙ୍କା ନିଲାମ ଡ଼ାକି ସେଠାରୁ ମଞ୍ଚ ଛାଡ଼ି ପଳାଇ ଯାଇଥିଲା । ଏହାପରେ ଅନ୍ୟ ଦୁଇଜଣଙ୍କୁ ଉକ୍ତ ଲଡ଼ୁ ଓ ଆଜ୍ଞମାଳ ନେବାକୁ କୁହାଯାଇଥିଲେ ମଧ୍ୟ ଏହାକୁ ସେମାନେ ପ୍ରତ୍ୟାଖାନ କରି ଦେଇଥିଲେ । ଏହାପରେ ପୁନଶ୍ଚ ଉକ୍ତ ଲଡ଼ୁ ସାନି ନିଲାମ ଡ଼କାଯାଇ ସର୍ବଶେଷରେ ପଟ୍ଟନାୟକ ବ୍ରଦର୍ସ ପ୍ରାୟ ୪ଲକ୍ଷ ୩୦ହଜାର ଟଙ୍କାରେ ନିଲାମ ନେଇଥିଲେ ।