୧୫୬ ବର୍ଷରେ ରାଜଦୋଳ ମେଳଣ
ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ପଞ୍ଚାୟତର ନାନପୁର ପାଟଣା ରାଜଦୋଳ ମେଲଣ ୧୫୬ ବର୍ଷରେ ପଦାର୍ପଣ କରିଛି । ଅସିଆ ଗଡରରାଜ ପରିବାର ପକ୍ଷରୁ ଆୟୋଜିତ ମେଳଣ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆଡମ୍ବରରେ ସମାହିତ ହୋଇଯାଇଛି । ରାଜ ପରିବାରର ଦାୟାଦ ଓ ସ୍ଥାନୀୟ ନାନପୁର ପାଟଣା ଗାଁର ମୁରବୀଙ୍କ ମିଳିତ ସହଯୋଗରେ ମେଲଣ ଆୟୋଜିତ ହୋଇଛି । ଏବର୍ଷର ମେଳଣରେ ସ୍ଥାନୀୟ ୧୦ଗୋଟି ଗାଁର ୨୦ଗୋଟି ଗାଦିର ବିମାନମାନ ଅଂଶଗ୍ରହଣ କରିଥିଲେ । ନାନପୁର ଗ୍ରାମର ଶ୍ରୀଶ୍ରୀ ବୃନ୍ଦାବନ ଜୀଉ ଠାକୁରଙ୍କୁ ନିମନ୍ତ୍ରଣ ଦିଆଯାଇ ଥାନପତି ରୂପେ ବରଣ କରାଯାଇଥିଲା । ବୃନ୍ଦାବନ ଜୀଉ ଶୋଭାଯାତ୍ରାରେ ଆସି ମେଲଣ ପଡିଆରେ ପହଁଚିବା ପରେ ଅସିଆ ଗଡର ଅଧିଶ୍ୱର ମଧୁସୂଦନ ଜୀଉ, ପଲେଇର ରାଧାକୃଷ୍ଣ ଜୀଉ, ମାଣିତିରିର ଗୋପିନାଥ ଜୀଉ, କୃଷ୍ଣଦାସପୁରର ଗୋପାଳ ଜୀଉ, କେଶରପଡାର ରାଧାକୃଷ୍ଣ ଜୀଉ, ଭୁଷୁଣ୍ଡପୁରର ରାଧାଗୋବିନ୍ଦ ଜୀଉ, କୁସ୍ମପୁରର ମଦନମୋହନ ଜୀଉ, ନାନପୁର ବଣିଆ ସାହିର ମଦନମୋହନ ଜୀଉ, ନାନପୁର ଭଟ୍ଟସାହିର ମଦନମୋହନ ଜୀଉ, ଓ ନାନପୁର ପାଟଣାର ବୃନ୍ଦାବନ ଜୀଉ ବିରାଟ ଶୋଭାଯାତ୍ରାରେ ଆସି ମେଳଣ ପଡିଆରେ ନିର୍ଦ୍ଧାରିତ ଆସନ ଅଳଙ୍କୃତ କରିଥିଲେ । ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଖଣ୍ଡାଖେଳ, ଲଉଡ଼ିଖେଳ, ଘଂଟବାଦ୍ୟ ଓ କିର୍ତନ ମଣ୍ଡଳୀ ସହ ଆତସବାଜି ସ୍ଥାନ ପାଇଥିବାର ଦେଖିବାକୁ ମିଳିଥିଲା । ମେଳଣରେ ସ୍ଥାନ ପାଇଥିବା ଷଣ୍ଢ ଲଢେଇ ଓ ପିଲାମାନଙ୍କର ଜମ୍ପଆଫ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ଅସିଆଗଡର ବର୍ତମାନର ରାଜା ଗୁରୁଚରଣ ଟିକାୟତଙ୍କ ଝିଅ-ଜ୍ୱାଇଁ ଏବର୍ଷ ମେଲଣରେ ରାଜପରିବାର ପକ୍ଷରୁ ଅଂଶଗ୍ରହଣ କରି ବିମାନଙ୍କୁ ଶଙ୍ଖୋଲି ଭୋଗଲାଗି କରିଥିଲେ । ନାନପୁର ପାଟଣାର ମିଳିତ ଜନମଙ୍ଗଳ ପାଠାଗାର ଓ ରାଜଦୋଳ ମେଳଣ କମିଟିର କର୍ମକର୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମେଳଣ ଆୟୋଜିତ ହୋଇଥିଲା ।