ବିଦୁ୍ୟତ ଆଘାତରେ ଶ୍ରମିକଙ୍କ ମୃତୁ୍ୟ : କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ
କବାଟବନ୍ଧ: ଚଣ୍ଡିଖୋଲ-ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତୁ୍ୟ ଘଟିଛି । ମୃତ ଶ୍ରମିକ ଜେନାପୁର ଥାନା ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ମୁଥା ମଲ୍ଲିକଙ୍କ ପୁଅ ରଙ୍ଗାଧର (୫୫) ହୋଇଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏମଏସଆଇଏଲ ଅଧିନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଗତ ଅଗଷ୍ଟ ୨୭ ତାରିଖରେ କବାଟବନ୍ଧ ବିଦୁ୍ୟତ ସେକ୍ସନ କନ୍ତପଡ଼ା ଛକ ନିକଟରେ ରାସ୍ତା ମାପ ଚୁପ କରାଯାଉଥିଲା । ହାତରେ ଧରିଥିବା ମେଜରମେଣ୍ଟ ଷ୍ଟିକଟି ଅଚାନକ ୩୩କେଭି ବିଦୁ୍ୟତ ତାରରେ ଲାଗିଯିବା ଫଳରେ ଗୁରୁତର ହୋଇଥିଲେ । ଉଚ୍ଚ କ୍ଷମତା ସମ୍ପନ୍ନ ବିଦୁ୍ୟତ ଆଘାତରେ ତାଙ୍କର ଛାତି, ପିଠି, ଗୋଡ଼ ଏବଂ ଗୋଟିଏ ଆଙ୍ଗୁଠି ସହିତ ଦେହର ବିଭିନ୍ନ ଅ ଅଂଶ ପୋଡ଼ି ଯାଇଥିଲା ଓ ସ୍ଥାନୀୟ ଲୋକ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ଶୁକ୍ରବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । କ୍ଷତି ପୂରଣ ବାବାଦରେ ପରିବାରକୁ ୩୦ଲକ୍ଷ ଟଙ୍କା ସହିତ ପରିବାରରେ ଜଣଙ୍କୁ ସ୍ଥାୟୀ ଚାକିରି ଦେବାକୁ ଧରି ଧାରଣାରେ ବସିଛନ୍ତି । ଜାତୀୟ ରାଜପଥରେ ଟାୟାର ଜାଳି ଶବ ଧରି ଧାରଣାରେ ବସିରହିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଧାରଣାରୁ ଧାରଣାକାରି ଉଠିନଥିଲେ । ଘଟଣା ସ୍ଥଳରେ ଯାଜପୁର ରୋଡ଼ ଏସଡ଼ିପିଓ ଲଷ୍ମୀଧର ସ୍ୱାଇଁ,ଧର୍ମଶାଳା ଅତିରିକ୍ତ ତହସିଲଦାର ଭବେଶ ମାଝୀ ଏବଂ ଜେନାପୁର ପୁଲିସ ଉପସ୍ଥିତ ରହିଛନ୍ତି । ଧାରଣା ଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା ।