୨୧ରେ ନାହିଁ ବରୀ; ଦଳଡ଼ିଅାଁ ଅପେକ୍ଷାରେ ବିଜେପି
ଯାଜପୁର: ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ଜନତାପାର୍ଟି ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ୨୧ ଆସନରେ ଯାଜପୁର ଜିଲାର ବରୀ ନିର୍ବାଚନ ମଣ୍ଡଳୀର ନାଁ ନାହିଁ । ବିଜେପି ପ୍ରଥମ ପର୍ଯ୍ୟାୟରେ ୬ଟି ବିଧାନସଭା ଆସନ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବରୀ ବାଦ ପଡ଼ିଥିଲା । ଯାହାକୁ ନେଇ ଆଶାୟୀଙ୍କ ମନରେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଥିଲା । ଆଶାୟୀ ଆଶା ରଖିଥିଲେ କି ପରବର୍ତ୍ତୀ ସମୟରେ ବରୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ହେଲେ ବିଜେପି ପକ୍ଷରୁ ଆଜି ଘୋଷଣାରେ ବରୀ ପୁଣି ଲଟକାଇ ରଖିବା ଆଶାୟୀଙ୍କୁ ନିରାଶ କରିଛି ।
ବିଜେପିର ଉମେଶ ଜେନାଙ୍କ ଠାରୁ ଆରମ୍ଭ କରି ପ୍ରାକ୍ତନ ବିଧାୟକ ଦେବାଶିଷ ନାୟକ ଲବିରେ ରହିଥିଲେ ହେଁ ବିଜେପି କାହାକୁ ପ୍ରାର୍ଥୀ ଘୋଷଣା ନକରିବା ପଛରେ ଦଳଡ଼ିଅାଁଙ୍କୁ ଅପେକ୍ଷା କରାଯାଇଥିବା ଏକପ୍ରକାର ଧାରଣା ନିର୍ବାଚନ ମଣ୍ଡଳୀରେ ସୃଷ୍ଟି କଲାଣି । କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ବରୀରେ ସଂଗଠନକୁ ଜଗି ଥିବା ଉମେଶ ଜେନାଙ୍କ ସହ ବିଜେଡ଼ି ଛାଡ଼ି ପଦ୍ମଧରିଥିବା ପ୍ରାକ୍ତନ ବିଧାୟକ ଦେବାଶିଷ ନାୟକ ଟିକେଟ ପାଇବାକୁ ଦାବିଦାର ରହିଥିଲେ ହେଁ ଏମାନଙ୍କ ବାଦ୍ ଅନ୍ୟଜଣଙ୍କ ପ୍ରାର୍ଥୀ ଅପେକ୍ଷାରେ ଦଳ ଥିବା କୁହାଯାଉଛି । ଯିଏକି ବିଜେଡ଼ିକୁ କଡ଼ା ଟକ୍କର ଦେଇପାରିବ । ବିଶ୍ୱରଞ୍ଜନ ମଲିକ ବିଜେପି ଛାଡ଼ିବା ପରେ ବରୀରେ ଦଳର ସ୍ଥିତି ସବଳ ନଥିବା ରାଜ୍ୟ ନେତୃତ୍ୱଙ୍କୁ ଭଲ ଭାବେ ଜଣା । ଉମେଶ ନିର୍ବାଚନ ଲଢିବାକୁ ମନ ବଳାଇଥିଲେ ହେଁ ଦଳକୁ ସେଭଳି ସ୍ଥିତିକୁ ଆଣିବାରେ ସକ୍ଷମ ହୋଇପାରିନି । ନିକଟରେ ଦଳୀୟ କାର୍ଯ୍ୟାଳୟରେ ବିପେିରେ ଯୋଗ ଦେଇଥିବା ପ୍ରାକ୍ତନ ବିଧାୟକ ଦେବାଶିଷ ନାୟକ ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି । ଦୀର୍ଘବର୍ଷ ଧରି ବିଜେଡ଼ିରେ ଥାଇ ବିଧାୟକ ହୋଇଥିବା ଦେବାଶିଷ ନାୟକ ଜଣେ ବିଚକ୍ଷଣ ରାଜନେତା । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସେ କେବେ ଠାରୁ କହିସାରିଛନ୍ତି । ଯଦିଓ ଏହା ସେ ବିଜେଡ଼ି ଛାଡ଼ିବା ପୂର୍ବରୁ କହିଥିଲେ କିନ୍ତୁ ବିଜେପିରେ ମିଶିବା ପରେ ଏକ ନମ୍ବର ଦାବିଦାର ଭାବେ ଉଭାହୋଇଛନ୍ତି । ହେଲେ ଦଳ ଉଭୟ ଉମେଶ ଏବଂ ଦେବାଶିଷଙ୍କ ମଧ୍ୟରୁ କାହାକୁ ଚୟନ କରିନି । ଏଣୁ ସାଧାରଣରେ ଯେଉଁ ଚର୍ଚ୍ଚାଟି ଚାଲିିଛି, ତାହା ହେଲା ଦଳ ଦଳଡ଼ିଅାଁଙ୍କୁ ବିଜେପି ଅପେକ୍ଷା କରିଛି । ବିଜେପି ଯାହାଙ୍କ ଉପରେ ଆଖି ପକାଇ ନାମ ଘୋଷଣାକୁ ଟାଳି ଦେଇଛି ତାହା ପଛରେ ବିଜେଡ଼ିର ପ୍ରାର୍ଥୀ ଘୋଷାଣା ବିଳମ୍ବ ପ୍ର୍ରମୁଖ କାରଣ ହୋଇଛି । ଯଦି କହିବା ତେବେ ବିଜେପି ବରୀ ବିଧାୟିକା ସୁନନ୍ଦାଙ୍କ ଉପରେ ନଜର ରଖିଛି । ବିଜେଡ଼ି ଯଦି ତାଙ୍କୁ ଟିକେଟ ନଦେଲା, ତେବେ ବିଜେପିକୁ ଆଗମନ ପାଇଁ ଆଗ୍ରହି ହୋଇପାରନ୍ତି । ଆଉ ବରୀରୁ ବିଜେପି ସୁନନ୍ଦାଙ୍କ ନାମ ଘୋଷଣା କରିପାରେ । ସମ୍ଭବତ ଏହି ଅପେକ୍ଷାରେ ବିଜେପି ରହିଛି ବୋଲି ବରୀରେ ଚର୍ଚ୍ଚା ହେଉଛି ।