ବିଦୁ୍ୟତ କାଟ ନେଇ ଜନଅସନ୍ତୋଷ ବୃଦ୍ଧି
ବୈଶିଙ୍ଗା: ବୈଶିଙ୍ଗା ବିଦୁ୍ୟତ ସେକ୍ସନ ପାଇଁ ବେତନଟୀ ବିଦୁ୍ୟତ ଉପଖଣ୍ଡ ଅଞ୍ଚଳରେ ବାରମ୍ବାର ବିଦୁ୍ୟତ ସରବରାହ ବନ୍ଦ ରହୁଥିବା ଯୋଗୁଁ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଟାଟା ପାୱାର କମ୍ପାନୀ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ଜାରି କରାଯାଇଥିବା ଏକ ବିଜ୍ଞାପନ ଅନୁଯାୟୀ କେବଳ ଜାନୁଆରୀ ଓ ଫେବୃଆରୀ ମାସରେ ମରାମତି ପାଇଁ ମୋଟ୍ ୧୫ ଦିନ ବିଜୁଳି ସରବରାହ ବନ୍ଦ ରହିବ । ଡିସେମ୍ବର ମାସରେ ମଧ୍ୟ ୪ ଦିନ ମରାମତି ପାଇଁ କହି ବିଦୁ୍ୟତ ସରବରାହ ବନ୍ଦ ରଖାଯାଇଥିଲା । ଏବେ ଶୀତ ଋତୁରେ ପାଗ ଶୁଖିଲା ଓ ଥଣ୍ଡା ରହୁଥିବା କାରଣରୁ ଘରୋଇ ଉପଭୋକ୍ତାଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିନାହିଁ । ମାତ୍ର ବିଜୁଳି ଶକ୍ତି ଉପଯୋଗରେ ବେପାର ବାଣିଜ୍ୟ କରୁଥିବା ବ୍ୟବସାୟୀଙ୍କ ଉପରେ ଏହାର ଜୋରଦାର ପ୍ରଭାବ ଲକ୍ଷ କରାଯାଇଛି । ବିଶେଷ କରି ଝରକା କବାଟ, ଦୋକାନ ସର୍ଟର୍, ଚେୟାର, ଟେବୁଲ୍, ଆଲମିରା ଆଦି ତିଆରି କରୁଥିବା ଫେବ୍ରିକେସନ ଶିଳ୍ପ , ଆଲୁମିନିୟମ ଶିଳ୍ପ , କାଠ ଫର୍ଣ୍ଣିଚର ଶିଳ୍ପ, ଇଣ୍ଟରନେଟ ସେଣ୍ଟର, ଫଟୋ ଷ୍ଟୁଡିଓ, ଜନସେବା କେନ୍ଦ୍ର, ଶାଳପତ୍ରରୁ ଖଲିଦୋନା ପ୍ରସ୍ତୁତ ଶିଳ୍ପ, ଆଦି କ୍ଷେତ୍ରରେ କମର୍ସିଆଲ ଉପଭୋକ୍ତା ଗଭୀର ଭାବେ ପ୍ରଭାବିତ ହେଉଥିବା ଲକ୍ଷ କରାଯାଇଛି । ଏଭଳି ବିଦୁ୍ୟତ କାଟ୍ ଦିନ ଗୁଡିକରେ ସେମାନଙ୍କୁ ଭିଷଣ ଭାବେ ଆର୍ଥିକ କ୍ଷତିର ସାମନା କରିବାକୁ ପଡୁୁଛି । ବ୍ୟାଙ୍କ ମାନଙ୍କରୁ ମୁଦ୍ରା ୠଣ ନେଇ କ୍ଷୁଦ୍ର ଶିଳ୍ପରେ ବିନିଯୋଗ କରି ନିଜେ ଉପାର୍ଜନକ୍ଷମ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଥିବା ବ୍ୟକ୍ତିଟିର ସବୁ ଆଶା ପାଣି ଫାଟି ଯାଉଛି । ସ୍ଥାନୀୟ ଅଞ୍ଚଳର ନେତାମାନେ ମଧ୍ୟ ଲୋକଙ୍କର ଏଭଳି ସ୍ଥିତିରେ ପାଟି ଫିଟାଉ ନାହାନ୍ତି । ତେବେ ଏ ବାବଦରେ ବେତନଟୀ ବିଦୁ୍ୟତ ଉପଖଣ୍ଡ ଅଧିକାରୀ ଶୁଭଦୀପ୍ତ ମିଶ୍ରଙ୍କୁ ପଚାରିବାରୁ ବେତନଟୀ ଷ୍ଟ୍ରକଚର ଠାରୁ ବୈଶିଙ୍ଗା ବିଦୁ୍ୟତ ଷ୍ଟ୍ରକଚର ପର୍ଯ୍ୟନ୍ତ ଥିବା ୩୩ କେଭି ଲାଇନ ତାରଟି ବହୁ ପୁରୁଣା ହୋଇଯାଇଥିବା ଯୋଗୁଁ ପର୍ଯ୍ୟାୟକ୍ରମେ ଏହାକୁ ବଦଳାଇ ନୂଆ ତାର ଲଗାଯାଉଥିବା କାରଣରୁ ଏଭଳି ସ୍ଥିତି ଉପୁଜିଛି ଏବଂ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ ।