ଖୋଲା ଆକାଶ ତଳେ ଦୁଇ ପରିବାର

କାଳିଆପାଣି : ପାଞ୍ଚଦିତ ତଳେ ଖଣି ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ଖେଳାଇଥିଲା । ଟମକା-ମଙ୍ଗଳପୁର ମୁଖ୍ୟରାସ୍ତା ଉପରେ ବଡ଼ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଥିଲା । ବିଭିନ୍ନ ଗାଁରେ ଏହାର ବିକଟାଳ ରୂପ ମଧ୍ୟ ଦେଖିବାକୁ ମିଳିଥିଲା । କାଳିଆପାଣି ଖଣି ଅଞ୍ଚଳର ରାଁଷୋଳ ପଞ୍ଚାୟତ ଅନ୍ତର୍ଗତ ମହୁଲଖାଲ ମୁଣ୍ଡା ସାହିରେ ଅନେକଙ୍କ ଘର ଉଜାଡି ଚାଲି ଯାଇଥିଲା । ଗାଁ ର ଦାସମାତ ମାଝୀ ଏବଂ ସାନଭାଇ ମାର୍ଶାଲ ମାଝୀଙ୍କ ଘରର ଛାତ ଆଜବେଷ୍ଟକୁ କାଳ ବୈଶାଖୀ ବାତ୍ୟା ସମ୍ପୂର୍ଣ ରୂପେ ଉଡେଇ ନେଇଥିଲା । ପରିବାରର ଦୁଇ ଭାଇ ଏବଂ ଅନ୍ୟ ତିନିଜଣଙ୍କୁ ମିଶାଇ ୫ ଜଣ ସଦସ୍ୟ ବିଶିଷ୍ଟ ଆଦିବାସୀ ପରିବାରଟି ଏଥିରେ ସମ୍ପୂର୍ଣ ଅସହାୟ ଅବସ୍ଥାକୁ ଆସିଯାଇଥିଲା । ହେଲେ ବିଡମ୍ବନା ଇତି ମଧ୍ୟରେ ୫ ଦିନ ଅତିବାହିତ ହୋଇ ଯାଇଥିବା ସତ୍ୱେ ଉକ୍ତ ଗରିବ ପରିବାରଟିକୁ କୌଣସି ସରକାରୀ ସହାୟତା ପହଁଚି ପାରିନାହିଁ । ୫ ଦିନ ହେଲା ସେହି ଭଙ୍ଗା ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି । ଦିନ ମଜୁରିଆ ଦାସମାତ ମାଝୀ ବର୍ତମାନ ନିସହାୟ ଅବସ୍ଥାରେ ସରକାରୀ ସାହାଯ୍ୟକୁ ଭରସା କରି ନିରାଶ ହୋଇ ପଡିଛନ୍ତି । ଗତକାଲି ସନ୍ଧ୍ୟାରେ ସରପଞ୍ଚ ପହଁଚି ସାହାଯ୍ୟ କରାଯିବ ବୋଲି କହିଥିଲେ ମଧ୍ୟ ଆଧାର କାର୍ଡ ଆଣିବାକୁ କହିଥିଲେ ବୋଲି ବିପନ୍ନ ପରିବାର କହିଛନ୍ତି ।