ବିଦୁ୍ୟତ୍ ଗ୍ରାହକ ଉପଭୋକ୍ତା ପରିଷଦର ବୈଠକ
ବାଲେଶ୍ୱର : ବାଲେଶ୍ୱର ନିକଟସ୍ଥ ଶ୍ରମିକ ଭବନ ଠାରେ ଉତ୍ତର ଓଡିଶା ବିଦୁ୍ୟତ୍ ଗ୍ରାହକ ଉପଭୋକ୍ତା ପରିଷଦର ଏକ ବୈଠକ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଚି । ଏହି ବୈଠକକୁ କେଉଁଝର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାମାନଙ୍କରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ମୁଖ୍ୟତଃ ଟାଟା ପାୱାର ହାତକୁ ବିଦୁ୍ୟତ୍ ବିତରଣ ଓ ଶୁଳ୍କ ଆଦାୟ ପାଇଁ ଦାୟିତ୍ୱ ଗଲା ପରେ ବିଦୁ୍ୟତ୍ ଗ୍ରାହକମାନଙ୍କ ଉପରେ ବିଭିନ୍ନ ପ୍ରକାରର ଆକ୍ରମଣ ଆରମ୍ଭ ହୋଇଛି । ସ୍ମାର୍ଟ ମିଟର ବସାଇବା, ଅହେତୁକ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପାଇଁ ରାଜ୍ୟ ବିଦୁ୍ୟତ୍ ନିୟମକ ଆୟୋଗରେ ଦାବି ଦେବା, ପ୍ରିପେଡ଼ ମିଟର ବସାଇ ଗ୍ରାହକଙ୍କୁ ଲୁଟ କରିବା ଭଳି କାର୍ଯ୍ୟକ୍ରମ ଉପରେ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ରର ବିଜେପି ସରକାର ଏବେ ବିଦୁ୍ୟତ୍ ଉପରେ ଆଣିଥିବା ଆଇନ ଫଳରେ ସାଧାରଣ ଲୋକେ ବିଶେଷ କ୍ଷତି ସହିବାକୁ ପଡ଼ିବ ଏବଂ କର୍ପୋରେଟ୍ ପୁଞ୍ଜିପତିମାନେ ବିଶେଷ ଲାଭବାନ ହେବେ ବୋଲି ଆଜିର ପ୍ରାଥମିକ ଆଲୋଚନାରେ ବହୁ ପ୍ରତିନିଧି ଉଲ୍ଲେଖ କରିଥିଲେ । ଟାଟା ପାୱାର, ବିଦୁ୍ୟତ୍ ନିୟମକ ଆୟୋଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ଆସନ୍ତା ୧୬ ମାର୍ଚ୍ଚ ରବିବାର ଦିନ ‘ବାଲେଶ୍ୱର ଷ୍ଟେସନ କ୍ଲବ’ ଠାରେ ଉତ୍ତର ଓଡିଶା ବିଦୁ୍ୟତ୍ ଗ୍ରାହକ ପରିଷଦର ଏକ କନ୍ଭେନ୍ସନ୍ ଅନୁଷ୍ଠିତ ହେବ । ଏହା ସହିତ ବିଦୁ୍ୟତ୍ ଆୟୋଗକୁ ବିଦୁ୍ୟତ୍୍ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରି ଦସ୍ତଖତ ସଂଗ୍ରହ କରି ଦରଖାସ୍ତ ପଠାଇବା ଓ କେଉଁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୁରଭଞ୍ଜ ପ୍ରଭୃତି ଜିଲ୍ଲାମାନଙ୍କରେ ପ୍ରତ୍ୟେକ ବ୍ଲକରେ ରାସ୍ତା ଉପରେ ଗଣ ପ୍ରତିବାଦ କରିବା ପାଇଁ ସ୍ଥିର ହୋଇଛି । ଏହି କନ୍ଭେନ୍ସନରେ ପରିଷଦର ସ୍ଥାୟୀ କର୍ମକର୍ତ୍ତା ମଣ୍ଡଳୀଙ୍କୁ ମନୋନୀତ କରାଯିବ । ଏହି ପରିଷଦର ଆବାହକ ଭାବେ ସନ୍ତୋଷ ଦାସ ସର୍ବସମ୍ମତି ଭାବେ ନିର୍ବାଚିତ ହୋଇଥିଲେ । ଆଜିର ବୈଠକରେ ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ଭାଗବତ ପ୍ରତିହାରୀ, ଶିଶିର ହୁଇ, ସୀତାଂଶୁ ସେନାପତି, ଯାଜପୁର ଜିଲ୍ଲାର ନିର୍ମଳ ରଥ, ମୟୁରଭଞ୍ଜ ଜିଲ୍ଲାର ମୃତୁ୍ୟଞ୍ଜୟ ବେହେରା, ଖଗେଶ୍ୱର କବି, ହରିଶ ସିଂ, ବିକର୍ତ୍ତନ କବି, କେଉଁଝର ଜିଲ୍ଲାର ଦୈତାରୀ ଆପଟ ଏବଂ ଦୀପ୍ତିମାନ ଆଚାର୍ଯ୍ୟ, ବିଜୟ କୁମାର ପାତ୍ର, ପ୍ରେମ ରଞ୍ଜନ ପାତ୍ର, ନିରଞ୍ଜନ ପରିଡ଼ା ଏବଂ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସୀତାଂଶୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।