ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କାର୍ଯ୍ୟାନୁଷ୍ଠାନ ଦାବି
ଟାଙ୍ଗୀ-ଚୌଦ୍ୱାର: ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଆଇନ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ କୌଣସି ପ୍ରକାର କାର୍ଯ୍ୟକ୍ରମ ହୋଇପାରିବ ନାହିଁ । କିନ୍ତୁ ବିଗତ ଆଠ ବର୍ଷ ଧରି ଏଥିରେ ବ୍ୟତିକ୍ରମ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଭଳି ଘଟଣା ଦେଖିବାକୁ ମିଳି କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ନଖରା ପଞ୍ଚାୟତ ଅଧିନସ୍ଥ ଅଲାରପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ । ଦୀର୍ଘ ଆଠ ବର୍ଷ ଧରି ସ୍କୁଲ ପରିସର ମଧ୍ୟରେ ମା’ ବୁଢୀ ଜାଗୁଳାଇ ନାଟ୍ୟ କଳା ପରିଷଦ ପକ୍ଷରୁ ଡ୍ରାମା ପରିବେଷଣ ସହିତ ଅବସରପ୍ରାପ୍ତ ଶିକ୍ଷକ ତଥା ଟାଙ୍ଗୀ ଚୌଦ୍ୱାର ବ୍ଲକ ବିଜେଡି ସଭାପତି ଧିରେନ୍ଦ୍ର ଜେଠୀ ତାଙ୍କ ମାତୃଙ୍କ ନାମରେ ଗଠନ କରିଥିବା "ଫୁଲଦେଇ ସ୍ମୃତି ସଂସଦ’ର କାର୍ଯ୍ୟକ୍ରମ ମଧ୍ୟ ଏଠାରେ ଆୟୋଜିତ ହେଉଛି । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ନିୟମକୁ ଉଲ୍ଲଂଘନ କରାଯାଉଥିଲେ ମଧ୍ୟ ସ୍ଥାନୀୟ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମୁଖ୍ୟଅତିଥି ହୋଇ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହୋଇଛି । ଚଳିତବର୍ଷ ଗତ ଏକ ମାସ ଧରି ମଧ୍ୟ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିଦ୍ୟାଳୟର କୋଠରୀ ମଧ୍ୟରେ ଡ୍ରାମା ରିହଲସେଲ ଚାଲୁଥିଲା । ଏବିଷୟରେ ଆଜି ସିଆରସିଙ୍କୁ ଟେଲିଫୋନ କରି ପଚରାଯିବାରୁ ସେ ଏହାକୁ ସ୍ୱୀକାର କରିଛନ୍ତି ଯେ, ଆଠ ବର୍ଷ ହେଲା ବିଦ୍ୟାଳୟ ପରିସରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି । କିନ୍ତୁ ଏବିଷୟରେ ପ୍ରଧାନଶିକ୍ଷକ ପ୍ରତିବାଦ କଲେ ମଧ୍ୟ କିଛି ରାଜନୈତିକ ମୁଷ୍ଟିମେୟ ବ୍ୟକ୍ତି ଜବରଦସ୍ତ ବିଦ୍ୟାଳୟ ପରିସରରେ ଡ୍ରାମା ଏବଂ ବ୍ୟକ୍ତିଗତ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିଦେ୍ର୍ଦଶରେ ସିଆରସିସି ଅଲାରପୁର ପ୍ରାଥମିକ ବିଦ୍ୟାଳୟକୁ ଅନୁସନ୍ଧାନରେ ଆସି ସେଠାରେ ଡ୍ରାମା ପରିବେଷଣ ପାଇଁ ଶ୍ରେଣୀଗୃହ ଗୁଡ଼ିକ ବ୍ୟବହାର ହେଉଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି ବୋଲି ସୂଚନା ମିଳିଛି । ଦୀର୍ଘ ଆଠବର୍ଷ ଧରି ଅଲାରପୁର ଗ୍ରାମରେ ଡ୍ରାମା ପରିବେଷଣ ହେଉଥିଲେ ମଧ୍ୟ ଅଗ୍ନି ନିରାପତ୍ତା ଅନୁମତି, ପୁଲିସ ବିଭାଗର ଅନୁମତି ଏବଂ ବିଦୁ୍ୟତ୍ ବିଭାଗ ପକ୍ଷରୁ ଅସ୍ଥାୟୀ ବିଦୁ୍ୟତ ସଂଯୋଗ ପାଇଁ କୌଣସି ଅନୁମତି ମିଳୁଛି କି ନାହିଁ ଏଥିରେ ମଧ୍ୟ ସନେ୍ଦହ ରହିଛି । ଏହି ଘଟଣା ବିଷୟରେ ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ସରକାରୀ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।