ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ଠକେଇ ଅଭିଯୋଗ
ବୈରୀ: ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ପ୍ରଣୟନ ହୋଇଛି । କିନ୍ତୁ ଏହି ଯୋଜନା ସଠିକ ରୂପରେ କାର୍ଯ୍ୟକାରୀ ହେଉନଥିବାର ବିଭିନ୍ନ ସମୟରେ ଅଭିଯୋଗ ହୁଏ । ସଂପୃକ୍ତ ଅଧିକାରୀ ଓ ଦଲାଲମାନଙ୍କ ମଧୁଚନ୍ଦ୍ରିକାରେ ହିତାଧିକାରୀ ଏହି ଯୋଜନାରୁ ସୁଫଳ ପାଇ ପାରନ୍ତିନାହିଁ । ବଡଚଣା ବ୍ଲକ ବନ୍ତଳା ପଂଚାୟତ ଉପୁୁଳା ଗ୍ରାମର ଶାନ୍ତିଲତା ଦାସଙ୍କୁ ଜଣେ ଦଲାଲ ବିଧୂଭୂଷଣ ମିଶ୍ର (ଚନ୍ଦନ)ପେପର ପ୍ଲେଟ୍ ମେସିନ ଯୋଗାଇ ଦେବ କହି ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ସାମିଲ କରାଇଥିଲା । ମୋଟ ୫.୮୧ଲକ୍ଷ ଟଙ୍କାର ଲୋନ୍ ଅନୁମୋଦନ ହୋଇଥିଲା । ପ୍ରୋଜେକ୍ଟ ରିପୋର୍ଟ ବାବଦକୁ ସେ ୨.୨୭ପ୍ରତିଶତ ହିସାବରେ ୧୦ଲକ୍ଷ ଟଙ୍କାର ପ୍ରୋଜେକ୍ଟରୁ ୨୨ହଜାର ୭୦୦ଟଙ୍କା ନେଇଛି । ପୁନଶ୍ଚ ସବ୍ସିଡିକୁ ୫୦ପ୍ରତିଶତ କରେଇ ଦେବ କହି ୧୫ ହଜାର ଟଙ୍କା ନେଇଛି । ତାଙ୍କ ସ୍ତ୍ରୀ ହରପ୍ରିୟା ନନ୍ଦଙ୍କର ସାଇ ଫୁଡ୍ ଇଣ୍ଡଷ୍ଟ୍ରିଜ୍ ନାମରେ ଏକ ଜିଏସ୍ଟି ନମ୍ବର୨୧ ଏକୁ୍ୟଏପିଏନ ୧୩୫୦ଏଲ ୧ଜେଡ଼୭ଅଛି । କିନ୍ତୁ ଶାନ୍ତିଲତାଙ୍କୁ ଦେଇଥିବା କୋଟେସନ୍କୁ ସେ ସାଇ ଆସୋସିଏଟ୍ ନାମରେ ପ୍ରଦାନ କରିଥିଲେ । ଏହି ନାମରେ ଜିଏସ୍ଟି ସର୍ଚ୍ଚ କରିବାରୁ ଏହା ସାଇଫୁଡ୍ ଇଣ୍ଡଷ୍ଟ୍ରିଜ ବୋଲି ଜଣାପଡିଲା । ସାଇଫୁଡ୍ ଇଣ୍ଡଷ୍ଟ୍ରିଜ କେମିତି ସାଇ ଆସୋସିଏଟ୍ ହୋଇଗଲା ତାହା ତଦନ୍ତ ସାପେକ୍ଷ । ସେ ବିଭିନ୍ନ ଲୋକଙ୍କୁ କେଭିଆଇସିରେ ଅଛି, ଡିଆଇସିରେ ଅଛି କହି ଦଲାଲି କରୁଛି । କେଉଁ ଅଧିକାରୀଙ୍କ ଛତ୍ରଛାୟାରେ ରହି ସେ ଏପରି ଠକୁଛି ତାହା ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ଅଛି । ସେହିିପରି ଏହି ପଞ୍ଚାୟତର ଅନ୍ୟ ଜଣେ ବେକାର ଉଚ୍ଚ ଶିକ୍ଷିତ ଯୁବକକୁ କୁକୁଡା ଫାର୍ମ କରେଇ ଦେବ ବୋଲି ପ୍ରୋଜେକ୍ଟ ରିପୋର୍ଟ ପାଇଁ ୩୪ହଜାର ଟଙ୍କା ନେଇଥିଲା । ଆଠ ମାସ ପରେ ବହୁ ଚାପରେ ୩୩ ହଜାର ଟଙ୍କା ଫେରାଇଦେଲା ବୋଲି ନିଜ ନାମ ଗୋପନ ରଖି ଯୁବକ ଜଣକ କହିଛନ୍ତି ।